ପଶ୍ଚିମବଂଗ ପାଇଁ ବିଜେପିର ସଂକଳ୍ପପତ୍ର
ଅନୁପ୍ରବେଶକୁ ନେଇ ଜିରୋ ଟଲେରାନ୍ସ ନୀତି : ଶାହ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ଅବତୀର୍ଣ୍ଣ ହୋଇଛି । ଶୁକ୍ରବାର ଦଳ ପକ୍ଷରୁ ସଂକଳ୍ପ ପତ୍ର ଜାରି କରାଯାଇଛି । ବିଜେପି ତା’ର ସଂକଳ୍ପପତ୍ରରେ ପଶ୍ଚିମବଙ୍ଗ ସମେତ ସମଗ୍ର ଦେଶରେ ବାହ୍ୟ ଅନୁପ୍ରବେଶକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛି ।
ଏହି ମର୍ମରେ ଅନୁପ୍ରବେଶକୁ ନେଇ ଜିରୋ ଟଲେରାନ୍ସ ନୀତି ଆପଣେଇବୁ ବୋଲି କୋଲକତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆହୁରି କହିଛନ୍ତି ଯେ, ଅନୁପ୍ରବେଶ ରୋକିବାକୁ ସୀମାରେ ଲାଗିବ ଫେନ୍ସିଂ । ୪୫ ଦିନ ମଧ୍ୟରେ ଫେନସିଂ ପାଇଁ ଜମି ପ୍ରଦାନ କରାଯିବ ।
ସେହିପରି କ୍ଷମତାକୁ ଆସିଲେ ୬ ମାସ ମଧ୍ୟରେ ୟୁନିଫାଇଡ ସିଭିଲ କୋଡ ବା (ୟୁସିସି) ଲାଗୁ କରାଯିବ ବୋଲି ଶ୍ରୀ ଶାହ ସ୍ପଷ୍ଟ କରିଛନ୍ତି । ଏଥିସହ ଗରିବଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବ ।
ପରିବାରର ମହିଳା ମୁଖିଆଙ୍କୁ ପ୍ରତି ମାସରେ ୩ ହଜାର ଟଂକା ପ୍ରଦାନ କରାଯିବା ସହ ୪୫ ଦିନ ମଧ୍ୟରେ ବକେୟା ମହଙ୍ଗା ଭତା ପ୍ରଦାନ କରାଯିବ ।
ସେହିଭଳି ଗୋ-ଚାଲାଣ ରୋକିବା ଦିଗରେ ପଦକ୍ଷେପ ନିଆଯିବ । ମହିଳାଙ୍କ ଗୁହାରି ଶୁଣିବା ପାଇଁ ପ୍ରତି ଥାନାରେ ମହିଳା ଡେସ୍କ ସ୍ଥାପନ ହେବ ।
ସରକାରୀ ବସରେ ମହିଳାଙ୍କୁ ମାଗଣା ଯାତ୍ରା ଓ ଚାକିରିରେ ୩୩% ସଂରକ୍ଷଣ ଦିଆଯିବ ।
ସେହିଭଳି କ୍ଷମତାକୁ ଆସିଲେ ପଶ୍ଚିମବଙ୍ଗ ବିକାଶର ରୋଡମ୍ୟାପ ପ୍ରଥମ ୧୦୦ ଦିନ ଭିତରେ ଜାରି କରାଯିବ । ପଶ୍ଚିମବଙ୍ଗକୁ ନୂତନ ଅର୍ଥନୈତିକ ଓ ମୁଖ୍ୟ ରପ୍ତାନୀ କେନ୍ଦ୍ର ବନାଯିବା ପାଇଁ କେନ୍ଦ୍ର ସରକାର ସମସ୍ତ ପଦକ୍ଷେପ ନେବେ ।
ଉତରବଙ୍ଗ ପାଇଁ ବିକାଶର ନୂତନ ପରିକଳ୍ପନା କରାଯାଇଛି ।
ଉତର ବଂଗରେ ଏକ ଏମ୍ସ, ଆଇଆଇଟି ଏବଂ ଆଇଆଇଏମ ସମେତ ଫ୍ୟାସନ ଡିଜାଇନିଂର ସଂସ୍ଥା ଖୋଲାଯିବ ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି ।