ରାଜ୍ୟସଭା ସଦସ୍ୟ ଶପଥ ନେଲେ ନୀତିଶ
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୁକ୍ରବାର ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ତାଙ୍କ ପ୍ରକୋଷ୍ଠରେ ନୀତିଶଙ୍କୁ ଶପଥ ପାଠ କରାଇଥିଲେ ।
ନୀତିଶ ହିନ୍ଦୀରେ ଶପଥ ଗ୍ରହଣ କରିଥିଲେ । ତାଙ୍କ ନିକଟରେ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭାରେ ଗୃହର ନେତା ଜେପି ନଡ୍ଡା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଉପସ୍ଥିତ ଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜେଡିୟୁ କାର୍ଯ୍ୟକାରୀ ଅଧ୍ୟକ୍ଷ ସଞ୍ଜୟ କୁମାର ଝା, କଂଗ୍ରେସ ନେତା ଜୟରାମ ରମେଶ, ବିଜେପି ନେତା ରାଜୀବ ପ୍ରତାପ ରୁଡି ଉପସ୍ଥିତ ଥିଲେ ।
ନୀତିଶ କୁମାର ରାଜ୍ୟସଭାରେ ଦାୟିତ୍ୱ ଗ୍ରହଣ କରିବା ସହିତ ବିହାର ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି ।
ଏନଡିଏ ଆସନ୍ତା ୧୪ତାରିଖ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିପାରେ । ସୂଚନାଯୋଗ୍ୟ ଯେ ୨୦୦୫ ମସିହାରେ ପ୍ରଥମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
୧୯୮୫ ମସିହାରେ ବିଧାୟକ ଭାବେ ନୀତିଶ କୁମାର ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରି ରାଜ୍ୟର ସବୁଠାରୁ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ଗୌରବ ହାସଲ କରିଥିଲେ ।
ଏଏନଆଇ ସୂତ୍ର ଅନୁଯାୟୀ ଶୁକ୍ରବାର ବିହାର ଉପରେ ବିଜେପିର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ପରେ ସହମତି ସୃଷ୍ଟି ହୋଇପାରେ ।