ଶନିବାରଠୁ ଉପରମୁହାଁ ପାରଦ
ଓଡ଼ିଶା ଉପରେ ବର୍ତମାନ ଟ୍ରପଲାଇନ ସକ୍ରିୟ ରହିଛି, ଯାହାର ପ୍ରଭାବରେ ଆସନ୍ତା ୨୪ଘଂଟା ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।
୧୧ଜିଲାକୁ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡ଼ି ସହ ୩୦ରୁ ୪୦କିମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଏହି ଜିଲାଗୁଡ଼ିକ ହେଲା କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ଯାଜପୁର, ଭଦ୍ରକ, ବାଲେଶ୍ୱର ।
ତେବେ ଶନିବାରଠୁ ଏହାର ଓଲଟା ପ୍ରଭାବ ପଡ଼ିବାର ସମ୍ଭାବନା ଦେଖାଦେଇଛି । କାରଣ ପାଣିପାଗ ସୂତ୍ରରୁ ଜଣାପଡ଼ିଛି ଯେ ଶନିବାରଠୁ ରାଜ୍ୟର ବିଭିନ୍ନ ଜିଲାରେ ପାରଦ ଉପରମୁହାଁ ହେବାର ଆଶଙ୍କା ଦେଖାଦେଇଛି । ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ଡିଗ୍ରୀ ଛୁଇଁପାରେ ।
୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ଉପକୂଳ ଜିଲା ଓ ପାର୍ଶବର୍ତୀ ଅଂଚଳରେ ଗରମ, ଗୁଳୁଗୁଳି ହେବାର ସମ୍ଭାବନା ଥିବାରୁ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗ୍ରୀଷ୍ମ ପ୍ରବାହ ନେଇ ହଳଦିଆ ସତର୍କତା (ୟେଲୋ ଆଲର୍ଟ) ଜାରି ହୋଇଛି ।
ଏହି ଜିଲାଗୁଡ଼ିକ ହେଲା ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି । ଏଥିସହ ଦିନ ତାପମାତ୍ରା ପ୍ରାୟ ୪ରୁ ୬ଡିଗ୍ରୀ ବଢ଼ିବାର ପାଣିପାଗ ବିଭାଗ ଆକଳନ କରିଛି ।
ଗତ ୨୪ ଘଂଟାରେ ସର୍ବାଧିକ ବର୍ଷା ପୁରୀ ଜିଲାର ନିମାପଡ଼ାରେ ରେକର୍ଡ ହୋଇଥିବାବେଳେ ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୮.୯ଡିଗ୍ରୀ ସେଲସିୟସ ଥିଲା ବୋଲି କୁହାଯାଇଛି ।
ସେହିପରି ଭୁବନେଶ୍ୱରରେ ୩୪.୭ ଓ କଟକରେ ୩୩.୪ ଡିଗ୍ରୀ ସେଲସିୟସ ଥିଲା ।