ଗରିବ ମୁଖ୍ୟମନ୍ତ୍ରୀ ଭାବେ ଚର୍ଚାରେ ମମତା
ଭାରତର ଗରିବ ମୁଖ୍ୟମନ୍ତ୍ରୀ ଭାବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାମ ଚର୍ଚା ଆଗରେ ରହିଛି ।
ସେ ଏଭଳି ଏକ ମୁଖ୍ୟମନ୍ତ୍ରୀ, ଯାହାଙ୍କ ନା ଅଛି ଗୋଟିଏ କାର, ନା ଅଛି ବଙ୍ଗଳା । ଏହା ମଧ୍ୟରେ ତିନିଥର ମୁଖ୍ୟମନ୍ତ୍ରୀ ଆସନରେ ଅଳଙ୍କୃତ ହୋଇଥିଲେ ସୁଦ୍ଧା ସେ ଜଣେ ଗରିବ ମୁଖ୍ୟମନ୍ତ୍ରୀ ଭାବେ ଚର୍ଚାରେ ରହିଛନ୍ତି । ନିଜ ସମ୍ପତି ସମ୍ପର୍କରେ କାହାଙ୍କ ନିକଟରେ ଲୁଚାଇ ରଖିନାହାଁନ୍ତି ।
ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ, ତେଣୁ ଗତ ବୁଧବାର ସୁଶ୍ରୀ ବାନାର୍ଜୀ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ସମୟରେ ନିଜ ସମ୍ପତିର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି । ଯାହାକି ଅନେକଙ୍କୁ ଆଚମ୍ବିତ କରିଛି ।
ସୁଶ୍ରୀ ବାନାର୍ଜୀଙ୍କୁ ସଂପ୍ରତି ୭୧ବଷ । ନିଜ ରାଜନୈତିକ ଜୀବନ ସଂଘର୍ଷ ମଧ୍ୟରେ ଅତିକ୍ରମ କରିଥିଲେ ସୁଦ୍ଧା ଜଣେ ଶକ୍ତିଶାଳୀ ଓ ରାଜନୈତିକ ଯୋଦ୍ଧା ଭାବେ ରାଜ୍ୟବାସୀଙ୍କ ନିକଟରେ ବିଶେଷ ପରିଚିତ ।
ଦୀର୍ଘ ଦିନ ରାଜନୈତିକ ଜୀବନରେ ରହିଥିଲେ ସୁଦ୍ଧା ତାଙ୍କର ଏପର୍ଯ୍ୟନ୍ତ କୌଣସି ଗାଡ଼ି କିମ୍ବା ବିଶେଷ ସମ୍ପତି ନାହିଁ । ଏଭଳି ଜଣେ ରାଜନୈତିକ ନେତ୍ରୀ ଆଗାମୀ ନିର୍ବାଚନରେ ଭବାନୀପୁରରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଭାବେ ସଂଗ୍ରାମ କରିବାକୁ ଯାଉଛନ୍ତି ।
ଯାହାକି ଅନେକଙ୍କ ନିଦ ହଜାଇ ଦେଇଛି ବୋଲି କହିଲେ ଅତ୍ୟୁକ୍ତ ହେବ ନାହିଁ । କାରଣ ସୁଶ୍ରୀ ବାନାର୍ଜୀ ନିଜ ଦର୍ଶାଇଛନ୍ତି ଯେ ତାଙ୍କ ନାମରେ ଦୁଇଟି ବ୍ୟାଙ୍କ ଆକାଉଂଟ ରହିଛି । ସେଥିରେ ମାତ୍ର ୧୨ଲକ୍ଷ ୭୬ହଜାର ୨୦୬ଟଙ୍କା ଗଚ୍ଛିତ ରହିଛି । ସେହିପରି ସମ୍ପତି ପରିମାଣ ୧୫ଲକ୍ଷ ୩୭ହଜାର ୫୦୯ଟଙ୍କା । କାଳିଘାଟ ୩୦ବି, ହରିଶ ଚାଟାର୍ଜୀ ଷ୍ଟ୍ରିଟରେ ତାଙ୍କ ଠିକଣା ହୋଇଥିଲେ ବି ସେହି ଘରଟି ତାଙ୍କ ନାମରେ ନାହିଁ ।
ଏପରିକି ସୁଶ୍ରୀ ବାନାର୍ଜୀ ନିଜେ ମଧ୍ୟ କୌଣସି ସ୍ଥାନରେ ଘର କରି ନାହାଁନ୍ତି କି ଗାଡ଼ି କ୍ରୟ କରି ନାହାଁନ୍ତି । ସେହିପରି ତାଙ୍କ ବିରୋଧରେ ମଧ୍ୟ କୌଣସି ଲୋନ୍ ମଧ୍ୟ ରହିନାହିଁ ବୋଲି ଉଲ୍ଲେଖ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ୨୦୧୧ ମସିହାରେ ତାଙ୍କ ନିକରେ ୯୧ହଜାର ୨୫୫ଟଙ୍କା ନଗଦ ଥିଲା, ଦୁଇଟି ବ୍ୟାଙ୍କ ଆକାଉଂଟରେ ମୋଟ ୧୩ଲକ୍ଷ ୫୩ହଜାର ୩୫୬ଟଙ୍କା ରହିଥିଲା ।
ଏହା ବ୍ୟତୀତ ୯ଗ୍ରାମ ୭୫୦ ମିଲିଗ୍ରାମ ଗହଣା ଥିଲା । ସେ ଆହୁରି ସୂଚାଇଛନ୍ତି ଯେ ରାଜନୀତି ଓ ସମାଜସେବ ହେଉଛି ତାଙ୍କର ପେଶା । ଏପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି ଅପରାଧ ରେକର୍ଡ ନାହିଁ । ଏପରିକି କୌଣସି ଥାନାରେ ତାଙ୍କ ବିରୋଧରେ ଏଫଆଇଆର ଦାଏର କରାଯାଇନାହିଁ ।
ଯାହାଦ୍ୱାରା କୌଣସି ମାମଲାରେ ତାଙ୍କ ବିରୋଧରେ ଚାର୍ଜ ଗଠନ କରାଯିବାର ପ୍ରଶ୍ନ ଉଠୁନାହିଁ । ଶିକ୍ଷାଗତ ଯୋଗ୍ୟତା ହିସାବରେ ମମତା ଉଲ୍ଲେଖ କରିଛନ୍ତି ଯେ ୧୯୭୦ ମସିହାରେ ଦେଶବନ୍ଧୁ ଶିଶୁ ଶିକ୍ଷାଳୟରୁ ମାଧ୍ୟମିକ ପାସ କରିଛନ୍ତି ।
କଲକାତା ବିଶ୍ୱବିଦ୍ୟାଳୟ ଅଧିନ ଯୋଗମାୟା ଦେବୀ କଲେଜରୁ ୧୯୭୪ରେ ସ୍ନାତକ ଏବଂ ୧୯୭୭ରେ କଲକାତା ବିଶ୍ୱବିଦ୍ୟାଳୟରୁ ଏମଏ ପାସ କରିଛନ୍ତି ।
ଏହି ବିଶ୍ୱବିଦ୍ୟାଳୟ ଅଧିନରେ ୧୯୭୨ ମସିହାରେ ଯୋଗେଶଚନ୍ଦ୍ର ଚୌଧୁରୀ ଆଇନ୍ କଲେଜରୁ ଆଇନ୍ ସ୍ୱାତକ ହୋଇଥିଲେ ।