ମଧ୍ୟପ୍ରାଚ୍ୟ ସଂଘର୍ଷର ପ୍ରଭାବ : ବିଶ୍ୱ ଅର୍ଥନୀତିକୁ ନେଇ ସତର୍କ କରାଇଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବଙ୍ଗା
ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ସଂଘର୍ଷ କେବଳ ସେହି ଅଂଚଳରେ ସୀମିତ ହୋଇ ରହିନାହିଁ, ବରଂ ଏହାର ବ୍ୟାପକ ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିବାକୁ ଯାଉଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଅସ୍ତ୍ରବିରତି ଘୋଷଣା ହୋଇଥିଲେ ସୁଦ୍ଧା, ବିଶ୍ୱ ଅର୍ଥନୀତି ବଡ଼ ଧରଣର କ୍ଷତି ସହିବ ବୋଲି ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବଙ୍ଗା ସତର୍କ କରାଇଛନ୍ତି ।
ବିଶ୍ୱବ୍ୟାଙ୍କର ସଦସ୍ୟ ଆକଳନ ଅନୁସାରେ ଯଦି ଯୁଦ୍ଧ ଶୀଘ୍ର ଶେଷ ହୁଏ, ତେବେ ବିଶ୍ୱ ଅଭିବୃଦ୍ଧି ୦.୩ରୁ ୦.୪ପ୍ରତିଶତ କମିବ । କିନ୍ତୁ ଯୁଦ୍ଧ ଦୀର୍ଘକାଳୀନ ହେଲେ ଏହା ୧ ପ୍ରତିଶତ ଯାଏ ହ୍ରାସ ପାଇବାର ସମ୍ଭାବନା ରହିଛି । ବିଶେଷ କରି ବିକାଶଶୀଳ ଦେଶଗୁଡ଼ିକରେ ମୁଦ୍ରାସ୍ଫୀତି ୬.୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।
ରିପୋର୍ଟ ଅନୁସାରେ ବିଶ୍ୱବ୍ୟାପୀ ତୈଳ ଦର ୫୦% ବୃଦ୍ଧି ପାଇଛି ଏବଂ ୨୦୨୬ ପାଇଁ ବିଶ୍ୱ ଅଭିବୃଦ୍ଧି ଆକଳନ ପୂର୍ବୁ ୪%ରୁ ଖସି ଆସି ୩.୬୫%ରେ ପହଂଚିଛି । ଏହି ସଂଘର୍ଷ ଯୋଗୁଁ କେବଳ ତୈଳ ନୁହେଁ, ଗ୍ୟାସ, ସାର, ହିଲିୟମ ଏବଂ ଖାଦ୍ୟ ସାମଗ୍ରୀର ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହେଉଛି ।
ଏହି ଆର୍ଥିକ ସଂକଟ ସମୟରେ ଶ୍ରୀ ବଙ୍ଗା ବିଶ୍ୱର ବିଭିନ୍ନ ଦେଶକୁ ଶକ୍ତି ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ସେ ନାଇଜେରିଆର ଉଦାହରଣ ଦେଇ କହିଛନ୍ତି ଯେ ନିଜସ୍ୱ ରିଫାଇନାରୀ ସ୍ଥାପନ କରିବା ଦ୍ୱାରା ଦେଶଟି ଏବେ ଅଧିକ ସୁରକ୍ଷିତ ହୋଇପାରିଛି ।
ଏହି ପରିପ୍ରେକ୍ଷୀରେ ବିଶ୍ୱବ୍ୟାଙ୍କ ପରମାଣୁ ଶକ୍ତି ଏବଂ ଜଳ ବିଦ୍ୟୁତ ପ୍ରକଳ୍ପକୁ ପାଣ୍ଠି ଯୋଗାଇବା ପାଇଁ ନିଜ ନିୟମରେ ମଧ୍ୟ ପରିବର୍ତନ ଆଣିଛି । ମୁକାବିଲା ପାଇଁ ଦେଶଗୁଡ଼ିକୁ ଅନାବଶ୍ୟକ ସବସିଡି ନ ଦେବାକୁ ଏବଂ ଆର୍ଥିକ ସ୍ଥିତି ସୁଧାରିବାକୁ ବିଶ୍ୱବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।