ଇରାନ ହାରୁଛି, ହର୍ମୁଜ ମୁକ୍ତ କରିବି : ଟ୍ରମ୍ପ
ଶନିବାର ଇସଲାମବାଦରେ ଶାନ୍ତି ବୈଠକ ଅନୁଷ୍ଠିତ ହେଉଛି । ବୈଠକରେ ଆମେରିକାର ଭାଇସ ପ୍ରେସିଡେଂଟ ଜେଡି ଭାନ୍ସ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଉପସ୍ଥିତ ଅଛନ୍ତି ।
ବୈଠକ ମଧ୍ୟଭାଗରେ ଅଚାନକ ସୋସିଆଲ୍ ମିଡ଼ିଆରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଟାକ୍ଷ ପୂର୍ଣ୍ଣ ବାର୍ତାକୁ ନେଇ ପୁଣି ବିତର୍କ ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଶାନ୍ତି ବୈଠକରେ ଟ୍ରମ୍ପ ନିଜେ ନଯାଇ ଭାନ୍ସକୁ ପଠାଇଛନ୍ତି ।
ସାଙ୍ଗରେ ଟ୍ରମ୍ପଙ୍କ ଜାମାତା ଜ୍ୟାରେଡ କୁଶନର ଏବଂ ବିଶେଷ ଦୂତ ଷ୍ଟିଭ ୱିଟକଫ୍ । ଶନିବାର ସନ୍ଧ୍ୟାରେ ଇରାନର ବରିଷ୍ଠ ନେତାଙ୍କ ସହ ଆଲୋଚନା ସମୟରେ ଅଚାନକ ଟ୍ରମ୍ପ ସୋସିଆଲ୍ ମିଡ଼ିଆରେ କଟାକ୍ଷମୂଳକ ବାର୍ତା ପ୍ରେରଣ କରିଥିଲେ ।
ଏପରିକି ମିତ୍ର ଦେଶଗୁଡ଼ିକୁ ମଧ୍ୟ ସମାଲୋଚନା କରିବାକୁ ଛାଡ଼ି ନଥିଲେ । ଇରାନକୁ କଟାକ୍ଷ କରି ଟ୍ରମ୍ପ ଲେଖିଥିଲେ ଯେ ସେମାନେ ଯୁଦ୍ଧରେ ହାରି ଯାଇଛନ୍ତି । ବର୍ତମାନ ସେମାନଙ୍କ ହର୍ମୁଜ ହେଉଛି ଏକମାତ୍ର ଭରସା । ତେବେ ଏହି ହର୍ମୁଜ ପ୍ରଣାଳୀକୁ ମୁକ୍ତ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ଯେପରି ଚୀନ, ଜାପାନ, ଦକ୍ଷିଣ କୋରିଆ, ଫ୍ରାନ୍ସ, ଜର୍ମାନୀ ଭଳି ଦେଶଗୁଡ଼ିକ ସହଜରେ ତେଲ ପରିବହନ କରିପାରନ୍ତି ସେଥିପାଇଁ ଚେଷ୍ଟା ଚାଲିଛି । ଶାନ୍ତିବୈଠକକୁ ନେଇ ଟ୍ରମ୍ପ ଆଶାବାଦୀ ଥିଲେ ସୁଦ୍ଧା ତାଙ୍କର ଏଭଳି ପୋଷ୍ଟ ଇରାନୀକୁ ପୁଣି ଅଡ଼ୁଆରେ ପକାଇଛି ।
ଟ୍ରମ୍ପଙ୍କ ବକ୍ତବ୍ୟ ଯେ ଶାନ୍ତି ବୈଠକରେ ଉପସ୍ଥିତ ହୋଇଥିବା ଆମ୍ଭମାନଙ୍କ ପ୍ରତିନିଧି ଦଳ ବିଶେଷ ଦକ୍ଷ । ସେ ଦୃଷ୍ଟିରୁ କୌଣସି ଅସୁବିଧାର ପ୍ରଶ୍ନ ଉଠୁନାହିଁ । ଇରାନର ନୌସେନା, ବାୟୁସେନା ଇତ୍ୟାଦି ଧ୍ୱଂସ ହୋଇଯାଇଛି । ଅସ୍ତ୍ର ମଧ୍ୟ ସେମାନଙ୍କ ସରିବାକୁ ବସିଛି । ଅଧିକାଂଶ ଇରାନୀ ନେତାଙ୍କୁ ମାରି ଦିଆଯାଇଛି ।
ସେ କ୍ଷେତ୍ରରେ ଚୁକ୍ତି ହେଉ ବା ନ ହେଉ ହର୍ମଜକୁ କିପରି ମୁକ୍ତ କରାଯିବ ସେ ବିଷୟରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଇରାନ ଜିତିଛି ବୋଲି ଯେଉଁ ରିପୋର୍ଟ ବିଭିନ୍ନ ଗଣାମଧ୍ୟମରେ ପ୍ରକାଶିତ ହେଉଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ ଫେକ ।
ଜଣାପଡ଼ିଛି ଯେ ଶନିବାର ଇସଲାମାବାଦରେ ଇରାନର ପ୍ରାୟ ୭୦ଜଣ ଭଳି ପ୍ରତିନିଧି ଦଳ ଆସି ପହଂଚିଛନ୍ତି । ଶାନ୍ତି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବେ ସ୍ଥାନ ପାଇଛି । ତେବେ କୌଣସି ଭୁଲ୍ ବୁଝାମଣା ମଧ୍ୟରେ ଯେପରି ଏହି ବୈଠକ ସମ୍ପନ୍ନ ନହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି ବୋଲି ଇରାନୀ ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି ।