୪୮ ଘଂଟାରେ ବିଧାନସଭା ଡାକନ୍ତୁ : ନବୀନ
ନୂଆ ସୀମା ପୁନଃନିର୍ଦ୍ଦାରଣ ବିଲ ଦ୍ୱାରା ଓଡ଼ିଶାର ରାଜନୈତିକ ପ୍ରଭାବ ୧୫% ହ୍ରାସ ପାଇବାର ଆଶଙ୍କା ରହିଛି ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ।
ଏ ନେଇ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ପାଇଁ ନବୀନ ଦାବି କରିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନବୀନ ଚିଠି ଲେଖିଛନ୍ତି । ନୂଆ ସୀମା ପୁନଃନିର୍ଦ୍ଦାରଣ ପ୍ରକ୍ରିୟାକୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ଉଦ୍ବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଜରୁରୀ ପତ୍ର ବୁଧବାର ଲେଖିଛନ୍ତି ।
ନବୀନଙ୍କ କହିବା ଅନୁଯାୟୀ, କେନ୍ଦ୍ର ସରକାର ଆଣିବାକୁ ଯାଉଥିବା ସମ୍ବିଧାନ (୧୩୧ତମ ସଂଶୋଧନ) ବିଲ ୨୦୨୬ ଦ୍ୱାରା ଲୋକସଭା ଆସନ ସଂଖ୍ୟା ୮୫୦କୁ ବୃଦ୍ଧି ପାଇଲେ ମଧ୍ୟ ଓଡ଼ିଶାର ସାମଗ୍ରିକ ପ୍ରତିନିଧିତ୍ୱ ହ୍ରାସ ପାଇବ ।
ବର୍ତମାନ ସଂସଦରେ ଓଡ଼ିଶାର ଅଂଶଧନ ୩.୯% ଥିବାବେଳେ ଏହା ୩.୪%କୁ ଖସି ଆସିବ । ଯାହାକି ରାଜ୍ୟର ରାଜନୈତିକ କ୍ଷମତାରେ ପ୍ରାୟ ୧୫% କ୍ଷତି ବୋଲି ସେ ଦର୍ଶାଇଛନ୍ତି । ଜନସଂଖ୍ୟା ନିୟନ୍ତ୍ରଣ ଓ ବିକାଶ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ଓଡ଼ିଶା ଭଳି ପ୍ରଗତିଶୀଳ ରାଜ୍ୟକୁ ଏହାଦ୍ୱାରା ଦଣ୍ଡିତ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।
ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଆସନ୍ତା ୪୮ଘଂଟା ମଧ୍ୟରେ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇବାକୁ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାର ୪.୫କୋଟି ଜନତାଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏବଂ ରାଜ୍ୟର ରାଜନୈତିକ ଅଧିକାରର ସୁରକ୍ଷା ପାଇଁ ଏକ ସର୍ବସମ୍ମତ ସଂକଳ୍ପ ପାରିତ ହେବା ଜରୁରୀ ।
ମହିଳା ସଂରକ୍ଷଣ ବିଲକୁ ବିଜେପି ସମର୍ଥନ କରୁଥିଲେ ମଧ୍ୟ ଏହାର ଆଢ଼ୁଆଳରେ ଓଡ଼ିଶାର କ୍ଷମତାକୁ କ୍ଷୁର୍ଣ୍ଣ କରାଯିବା ସଂଘୀୟ ବ୍ୟବସ୍ଥା ବିରୋଧୀ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଯଦି ଆଜି ଆମେ ଏହାର ପ୍ରତିବାଦ ନ କରିବା, ତେବେ ଭବିଷ୍ୟତର ଓଡ଼ିଆ ପିଢ଼ୀ ଆମକୁ କ୍ଷମତା ଦେବେ ନାହିଁ ବୋଲି କହିଛନ୍ତି ।