ଆବଶ୍ୟକ ସାର ପାଇବେ ଚାଷୀ : ମୁଖ୍ୟମନ୍ତ୍ରୀ
ଶୁକ୍ରବାର ଲୋକସେବା ଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକରେ ଖରିଫ ଋତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଂଟନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ପ୍ରତ୍ୟେକ ଚାଷୀ, କ୍ଷୁଦ୍ର ହୁଅନ୍ତୁ ବା ନାମମାତ୍ର, ସମସ୍ତେ ଯେପରି ଆବଶ୍ୟକ ଅନୁଯାୟୀ ସାର ପାଇବେ ତାକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ।
ପଶ୍ଚିମ ଏସିଆରେ ଲାଗି ରହିଥିବା ଯୁଦ୍ଧ ଜନିତ ପରିସ୍ଥିତି ଯୋଗୁ ସାର ପ୍ରସ୍ତୁତି ବାଧାପ୍ରାପ୍ତ ହୋଇଛି । ତେଣୁ ଖରିଫ ଋତୁରେ ଯେପରି ଚାଷୀ ଉଚିତ ମୂଲ୍ୟରେ ଆବଶ୍ୟକତା ଅନୁଯାୟୀ ସାର ପାଇବେ, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଜି ଜିଲାପାଳମାନଙ୍କ ସହ ଭିଡ଼ିଓ କନଫରେନ୍ସ ଜରିଆରେ ଆଲୋଚନା କରିଥିଲେ ।
ଏହି ଅବସରରେ କୃଷି ବିଭାଗର କମିସନର ତଥା ଶାସନ ସଚିବ ସଚିବ ରାମଚନ୍ଦ୍ର ଯାଦବ ରାଜ୍ୟର ବିଭିନ୍ନ ଜିଲାରେ ସାରର ଉପଲବ୍ଧତା ସମ୍ପର୍କରେ ଉପସ୍ଥାପନ ରଖି କହିଥିଲେ ଯେ ଚଳିତବର୍ଷ କେନ୍ଦ୍ର ସରକାର ବିଭିନ୍ନ ସାର ପାଇଁ ୧୧,୪୨,୯୫୦ ମେଟ୍ରିକ ଟନ ସାର ଯୋଗାଇ ଦେବେ । ଏପ୍ରିଲ ମାସ ପାଇଁ ୭୯,୬୩୦ ମେଟ୍ରିକ ଟନ ସାର ଆବଶ୍ୟକ ଥିବାବେଳେ ଏପ୍ରିଲ ୧୫ ସୁଦ୍ଧା ୩,୬୧,୪୯୦ ମେଟ୍ରିକ ଟନ ସାର ଉପଲବ୍ଧ ଅଛି । ରାଜ୍ୟରେ ସାର ହୋଲସେଲର ବିକ୍ରେତାମାନଙ୍କ ସଂଖ୍ୟା ୧୦୨୯ ଥିବାବେଳେ ଖୁଚୁରା ବିକ୍ରେତାଙ୍କ ସଂଖ୍ୟା ୧୨,୦୯୩ ଅଛି ।
ବିଭିନ୍ନ ସାର ଯୋଗାଣ କମ୍ପାନୀଙ୍କ ପକ୍ଷରୁ ସାର ଯୋଗାଣ ମଧ୍ୟ ଠିକ୍ ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଡିଲର ପଏଂଟମାନ ଯାଂଚ କରାଯାଇ ୬ଟି ଲାଇସେନ୍ସ ବାତିଲ କରାଯାଇଛି । ବୈଠକରେ ସୂଚନା ଦିଆଯାଇଥିଲା ଯେ କେନ୍ଦ୍ର ସରକାରଭ୍କ ସାର ବିଭାଗ ପକ୍ଷରୁ ଏକ ଇଂଟିଗ୍ରେଟେଡ ଫର୍ଟିଲାଇଜର ମ୍ୟାନେଜମେଂଟ ସିଷ୍ଟମ ଆରମ୍ଭ କରାଯାଇଛି । ଏଥିରେ ପ୍ରତ୍ୟେକ ଜିଲାର ଦୈନିକ ସାର ଉପଲବ୍ଧତା ଓ ଆବଂଟନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି ।
ଜିଲାପାଳମାନଙ୍କ ସହିତ ସାର ଯୋଗାଣ ପରିସ୍ଥିତି ସମ୍ପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ରାଜ୍ୟରେ ବର୍ତମାନ ୧.୭୭ ଲକ୍ଷ ମେଟ୍ରିକ ଟନ ୟୁରିଆ ଓ ୬୦ହଜାର ମେଟ୍ରିକ ଟନରୁ ଅଧିକ ଡିଏପି ସାର ମହଜୁଦ ଅଛି । ତେବେ ପରିସଂଖ୍ୟାନରେ ସୀମିତ ନ ରହି ଲାଷ୍ଟ ମାଇଲ ଡେଲିଭରୀ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟନ୍ତ୍ରୀ ନିର୍ଦେଶ ଦେଇଥିଲେ ।
ସେ କହିଥିଲେ ଯେ ଛୋଟ ଚାଷୀ ହେଉ ବା ନାମମାତ୍ର, ବର୍ତମାନ ସମୟରେ ପତ୍ୟେକ ଚାଷୀ ଯେପରି ଆବଶ୍ୟକତା ଅନୁରୂପ ସାର ପାଇବ ତାହାକୁ ଜିଲାପାଳମାନେ ସୁନିଶ୍ଚିତ କରନ୍ତୁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ସାତଟି ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି । ସେଗୁଡ଼ିକ ହେଲା କଳାବଜାରୀ ଓ ସାର ମହଦୁଦକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦେଶ ହୋଇଛି ।
ଜିଲାପାଳମାନେ ଅଚାନକ ପରିଦର୍ଶନରେ ଯାଇ ଯାଂଚ କରିବେ । ବେନିୟମ ସାର ମହଜୁଦକାରୀଙ୍କ ବିରୋଧରେ ଏତଲା କରି ସେମାନଙ୍କ ଲାଇସେନ୍ସ ବାତିଲ କରିବେ । ସୀମାନ୍ତରେ ଚେକପୋଷ୍ଟଗୁଡ଼ିକ ନଜର ରଖିବା ସହ ଚୋରା ଚାଲାଣ ଯେପରି ନହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ହେବ ବୋଲି କହିଥିଲେ ।
ଚାଷୀମାନେ ଯେପରି ସରକାରଙ୍କ ସମସ୍ତ ଯୋଜନାର ସୁଫଳ ସଠିକ ସମୟରେ ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ହେବ । ସେହିପରି ବିଭିନ୍ନ ସାର ବିକ୍ରୟ କେନ୍ଦ୍ରରେ ସାରର ଷ୍ଟକ ପରିମାଣ ଓ ଏହାର ମୂଲ୍ୟ ସମ୍ପର୍କରେ ତଥ୍ୟ ପ୍ରଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।