ଅଣ୍ଡା ନ ଦେଇ ଫେରିଗଲେ କଇଁଛ
ଦୁଇମାସ ଧରି ଲକ୍ଷାଧିକ ଅଲିଭ ରିଡଲେ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେବା ପାଇଁ କେନ୍ଦ୍ରାପଡ଼ା ଜିଲା ରାଜଗନଗର ବ୍ଲକ ଅନ୍ତର୍ଗତ ଗହିରମଥା କୂଳରୁ ୫୦୦ମିଟର ଦୂରରେ ଠୁଳ ହୋଇଥିଲେ ।
ଏବେ କିନ୍ତୁ ସେମାନେ ଫେରି ଯାଇଥିବା ଜଣାପଡ଼ିଛି । ଜଳବାୟୁ ପରିବର୍ତନ ପ୍ରଭାବ ଓ ମାର୍ଚରେ ବର୍ଷା ପାଗ କାରଣରୁ ସେମାନେ କୂଳରେ ଭିଡ଼ ଜମାଇଥିଲେ ମଧ୍ୟ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇ ନାହାଁନ୍ତି ।
ରୁଷିକୂଲ୍ୟାରେ ମାର୍ଚରୁ ଗଣଅଣ୍ଡାଦାନ ହୋଇଥିଲାବେଳେ ଗହିରମଥାରେ ଅଲିଭ ରିଡଲେ ଏହି ପ୍ରକ୍ରିୟାରେ ସାମିଲ ନ ହେବା ପରିବେଶବିତମାନଙ୍କୁ ବ୍ୟଥିତ କରିଛି ।
୨୦୦୮ ଓ ୨୦୧୪ରେ ଏଭଳି ହୋଇଥିଲା । ବାଲି ଗରମ ଥିଲେ, ଗରମ ପବନ ସହ ଦକ୍ଷିଣା ପବନ ବହିଲେ କଇଁଛ ଗଣଅଣ୍ଡାଦାନରେ ସାମିଲ ହୋଇଥାଆନ୍ତି । ଡିଏଫଓ ଭରଦ୍ୱାଜ ଗାଇଁକର କହିଛନ୍ତି ଯେ କଇଁଛଙ୍କୁ କୂଳରେ ଦେଖିବାକୁ ମିଳୁନାହିଁ । କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ନ ହୋଇ ଫେରି ଯାଇଛନ୍ତି ।
ତେବେ ସମ୍ଭବତଃ ଜଳବାୟୁ ପ୍ରଭାବ କାରଣରୁ ହୋଇଥାଇପାରେ ବୋଲି ତାଙ୍କର ବକ୍ତବ୍ୟ ।