ଡିସିପିଙ୍କ ଘରେ ଇଡି ଚଢ଼ଉ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଆଉ ମାତ୍ର ୪ଦିନ ବାକି ।
ଏଭଳି ସମୟରେ ପ୍ରବର୍ତନ ନିର୍ଦେଶାଳୟ କଲକାତା ପୁଲିସ ଡେପୁଟି କମିସନର ସାନ୍ତନୁ ସିହ୍ନା ବିଶ୍ୱାସଙ୍କ ବାସଭବନରେ ଚଢ଼ଉ କରିବା ବିଷୟ ରାଜନୈତିକ ମହଲରେ ଚର୍ଚାର ପ୍ରସଙ୍ଗ ପାଲଟିଛି ।
ଇଡିର ଏକ ବିଶେଷ ଦଳ ଶନିବାର ସକାଳ ପ୍ରାୟ ୭ଟା ସମୟରେ ବାଲିଗଞ୍ଜର ଫର୍ଣ୍ଣ ରୋଡରେ ଥିବା ଘରେ ପହଂଚି ଛାନଭିନ ଆରମ୍ଭ କରିଥିଲା ।
ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି ଯେ ଡିସିପି ଶ୍ରୀ ବିଶ୍ୱାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଥିବା କାଳୀଘାଟ ପୁଲିସ ଷ୍ଟେସନର ଷ୍ଟେସନ ହାଉସ ଅଫିସର ଭାବେ କାର୍ଯ୍ୟ କରୁଥିଲେ । ଆଜି ଇଡି ଦଳ କଲକାତାର ବାଲିଗଞ୍ଜ ଅଂଚଳରେ ଥିବା ଶ୍ରୀ ବିଶ୍ୱାସଙ୍କ ବାସଭବନ ଓ ବେହାଲାରେ ଥିବା ଜୟ କାମଦାରଙ୍କ ଘରେ ତଲାସି କରିଛି ।
ସୋନା ପପ୍ପୁ ଏବଂ ଜୟ କାମଦାରଙ୍କ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଏ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ଚଢ଼ଉ କରାଯାଇଥିବା ଜଣାପଡ଼ିଛି । କିଛିଦିନ ପୂର୍ବେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ପୂର୍ବତନ ରାଜ୍ୟ ମନ୍ତ୍ରୀ ପାର୍ଥ ଚାଟ୍ଟାର୍ଜୀଙ୍କ ବାସଭବନରେ ଚଢ଼ଉ କରିଥିଲା ।
ଏହା ବ୍ୟତୀତ ଆୟକର ବିଭାଗ ନିକଟରେ ରାସବିହାରୀ ବିଧାୟକ ଏବଂ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଦେବାଶିଷ କୁମାରଙ୍କ ବାସଭବନରେ ଚଢ଼ଉ କରିଥିଲା ।