ବ୍ର୍ରହ୍ମପୁର ରେଳ ଷ୍ଟେସନରୁ ୩୪ ଶିଶୁ ଉଦ୍ଧାର
ପଶ୍ଚିମବଙ୍ଗରୁ ଆନ୍ଧ୍ରପ୍ରଦେଶ ଯାଉଥିବା ଏକ ଟ୍ରେନ୍ରେ ୩୪ଜଣ ଶିଶୁଙ୍କୁ ୍ଓଡ଼ିଶାର ବ୍ରହ୍ମପୁର ଷ୍ଟେସନରୁ ଉଦ୍ଧାର କରାଯିବା ବିଷୟ ସାଧାରଣରେ ଚର୍ଚାର ପ୍ରସଙ୍ଗ ପାଲଟିଛି ।
ଜଣାପଡ଼ିଛି ଯେ ରେଳ ସୁରକ୍ଷା ବଳ ଓ ରେଲୱେ ଶିଶୁ ହେଲ୍ପ ଡେସ୍କର ମିଳିତ ସହଯୋଗରେ ସମସ୍ତ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା ।
ଉଦ୍ଧାର ହୋଇଥିବା ଶିଶୁଙ୍କ ମଧ୍ୟରେ ସଂଖ୍ୟାଲଘୁ ସଂପ୍ରଦାୟର ଶିଶୁ ଅଧିକାଂଶ ଥିଲେ । ଉଦ୍ଧାର ଶିଶୁଙ୍କ ବୟସ ଆନୁମାନିକ ୧୦ରୁ ୧୫ବର୍ଷ ମଧ୍ୟରେ । ଶନିବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ହାଓଡ଼ାରୁ ସିକନ୍ଦରାବାଦ ଯାଉଥିବା ଫଲକନୁମା ଏକ୍ସପ୍ରେସରେ ପ୍ରାୟ ୫୦ଜଣ ଶିଶୁ ଯାତ୍ରା କରୁଥିବା ଖବର ରେଳ ସୁରକ୍ଷା ବଳକୁ ମିଳିଥିଲା ।
ପରେ ଅର୍ଥାତ୍ ସନ୍ଧ୍ୟାରେ ଟ୍ରେନଟି ଯେତେବେଳେ ବ୍ରହ୍ମପୁର ରେଳ ଷ୍ଟେସନକୁ ପହଂଚିଥିଲା ସଙ୍ଗେ ସଙ୍ଗେ ଆରପିଏଫ୍ ପକ୍ଷରୁ ଟ୍ରେନ ବଗି ମଧ୍ୟରେ ଥିବା ୩୪ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲା । ଏହି ସଂଖ୍ୟକ ଶିଶୁ ଏକତ୍ର କୁଆଡ଼େ ଯାଉଥିଲେ ଓ ସେମାନଙ୍କୁ କିଏ କ’ଣ ପାଇଁ ନେଉଥିଲା ସେ ସମ୍ପର୍କରେ ଆରପିଏଫ୍ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ।
ଶିଶୁଙ୍କ ସହ ଯାତ୍ରା କରୁଥିବା ୪ଜଣ ଯୁବକଙ୍କୁ ମଧ୍ୟ ପୁଲିସ ଅଟକ କରିଛି ।
ସୂଚନାଯୋଗ୍ୟ ନିକଟରେ କଟକ ରେଳ ଷ୍ଟେସନରେ ୫୯ଜଣ ମୁସଲିମ ସମ୍ପ୍ରଦାୟ କିଶୋର ଓ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ବିହାରର ଆରାରିଆ ଅଂଚଳରୁ ସାଲେପୁର ଅଂଚଳକୁ ଅଣାଯାଉଥିବା ବିଷୟ ପରବର୍ତୀ ସମୟରେ ଅନୁସନ୍ଧାନରୁ ଜଣାପଡ଼ିଥିଲା ।
ଏହା ପରେ ପୁଣି ଏଭଳି ଏତେ ସଂଖ୍ୟକ ଶିଶୁ ବ୍ରହ୍ମପୁର ଷ୍ଟେସନରୁ ଉଦ୍ଧାର କରାଯିବାଦ୍ୱାରା ପ୍ରସଙ୍ଗକୁ ନେଇ ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି ।
ଏମାନଙ୍କ ପଛରେ କେଉଁମାନେ ରହିଛନ୍ତି ତାହା ନେଇ ସଂପ୍ରତି ପୁଲିସ ତଦନ୍ତ ଜାରି ରଖିଛି ।