ବଢ଼ିବନି ପେଟ୍ରୋଲ, ଡିଜେଲ ଦର : କେନ୍ଦ୍ର
ବିଭିନ୍ନ ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ପରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବ ନାହିଁ ।
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏହା ସ୍ପଷ୍ଟ କରିଛି । ତେଲ ଦରବୃଦ୍ଧି ସଂକ୍ରାନ୍ତ କୌଣସି ଯୋଜନା ବିଚାରାଧୀନ ନଥିବା ଏହା କହିଛନ୍ତି । କୋଯକ ଇନଷ୍ଟିଚ୍ୟୁସନାଲ ଇକ୍ୱିଟିକ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨୫-୨୮ ଟଙ୍କା ବଢ଼ିବା ଆଶଙ୍କା ରହିଛି ବୋଲି ଆକଳନ କରାଯାଇଥିଲା ।
ସେହି ରିପୋର୍ଟରେ କରାଯାଇଥିବା ଦାବିକୁ ମନ୍ତ୍ରଣାଳୟ ଖଣ୍ଡନ କରିଛି । ନାଗରିକମାନଙ୍କ ମନରେ ଭୟ ସୃଷ୍ଟି କରିବା ଲକ୍ଷ୍ୟ ରଖି ଏଭଳି ଖବର ପ୍ରକାଶ କରାଯାଉଛି । ତାହା ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ବୋଲି ମନ୍ତ୍ରଣାଳୟ ଜଣାଇଛି । ମନ୍ତ୍ରଣାଳୟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଭାରତ ହେଉଛି ବିଶ୍ୱର ଏକମାତ୍ର ଦେଶ ଯେଉଁଠାରେ ଗତ ଚାରି ବର୍ଷ ମଧ୍ୟରେ ତେଲ ଦରରେ କୌଣସି ବୃଦ୍ଧି ଘଟିନାହିଁ ।
ଚଳିତବର୍ଷ ଫେବୃୟାରୀ ୨୮ରେ ଇରାନ ଉପରେ ଆମେରିକା ଓ ଇସ୍ରାଏଲ ମିଳିତ ଆକ୍ରମଣ କରିବା ପରଠାରୁ ଆନ୍ତର୍ଜାତୀୟ ବଜାରରେ ତେଲ ଯୋଗାଣ ପ୍ରଭାବିତ ହୋଇଛି । ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସ୍ୱାଭାବିକ ହୋଇପାରୁ ନାହିଁ ।
ତାହାର ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ ୧୨୦ ଡଲର ପାଖାପାଖି ବୃଦ୍ଧି ପାଇଥିଲା । ଗ୍ରାହକମାନଙ୍କୁ ତେଲ ଦରବୃଦ୍ଧିରୁ ସୁରକ୍ଷା ଦେବା ସହ ତୈଳ କମ୍ପାନୀଗୁଡ଼ିକର ସ୍ୱାର୍ଥ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲର ଉତ୍ପାଦ ଶୁଳ୍କରେ ୧୦ଟଙ୍କା ହ୍ରାସ କରିଥିଲେ ।
ତୈଳ ଓ ଗ୍ୟାସ ସ୍ଥିତିକୁ ନେଇ ସରକାର ପ୍ରତିଦିନ ସୂଚନା ପ୍ରଦାନ କରୁଛନ୍ତି । ତେଲ ଓ ଗ୍ୟାସର କୌଣସି ଅଭାବ ନଥିବା ପେଟ୍ରୋଲ ପମ୍ପଗୁଡ଼ିକରେ ତେଲ ଥିବା କହୁଛନ୍ତି । ତୈଳ ବିଶୋଧନାଗାରଗୁଡ଼ିକ ପୂର୍ଣ୍ଣ କ୍ଷତାରେ ଚାଲିଛି । ଦେଶରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ ରହିଛି ।
ଯଦି ଅଶୋଧିତ ତେଳ ଦର ଉଚ୍ଚ ସ୍ତରରେ ରହିବ ତେବେ ନିଜ କ୍ଷତି ଭରଣା କରିବାକୁ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇ ପାରନ୍ତି ବୋଲି ଏହି ବ୍ରୋକରେଜ ସଂସ୍ଥା ଆକଳନ କରିଥିଲା ।