ସିଗାରେଟ କିଣିପାରିବେନି ଯୁବପିଢ଼
ବ୍ରିଟେନ ସଂସଦରେ ଐତିହାସିକ ବିଲ ପାରିତ
ଧୂମପାନ ଉପରେ ରୋକ ଲଗାଇବା ଦିଗରେ ବି୍ରଟେନ ସଂସଦ ଏକ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିଛି ।
ମଙ୍ଗଳବାର ସଂସଦରେ ଟବାକୋ ଏଣ୍ଡ ଭେପ୍ସ ବିଲ ପାରିତ ହୋଇଛି, ଯାହା ଆଗାମୀ ପିଢ଼ିକୁ ଜୀବନସାରା ଧୂମପାନରୁ ଦୂରେଇ ରଖିବ ।
ଏହି ନୂତନ ଆଇନ ଅନୁଯାୟୀ ଡିସେମ୍ବର ୩୧ ତାରିଖ ୨୦୦୮ ପରେ ଜନ୍ମ ହୋଇଥିବା ପିଲାମାନେ ନିଜ ଜୀବନକାଳ ମଧ୍ୟରେ କେବେବି ସିଗାରେଟ କିଣିପାରିବେ ନାହିଁ । ବର୍ତମାନ ଏହି ବିଲକୁ କିଙ୍ଗ ଚାର୍ଲ୍ସ ତୃତୀୟଙ୍କ ଅନୁମୋଦନ ପାଇଁ ପଠାଯାଇଛି । ଯାହା ପରେ ଏହା ପୂର୍ଣ୍ଣ ଆଇନରେ ପରିଣତ ହେବ । ଏହି ଐତିହାସିକ ନିଷ୍ପତି ପରେ ବ୍ରିଟେନ ବର୍ତମାନ ବିଶ୍ୱର ସବୁଠାରୁ କଡ଼ା ଧୂମପାନ ବିରୋଧୀ ନିୟମ ଥିବା ଦେଶମାନଙ୍କ ମଧ୍ୟରେ ସାମିଲ ହୋଇଛି ।
ବ୍ରିଟେନର ୧୮ବର୍ଷରୁ କମ ବୟସର ପିଲାଙ୍କୁ ସିଗାରେଟ କିମ୍ବା ଭେପ ବିକ୍ରି କରିବା ବେଆଇନ । ତେବେ ନୂତନ ଆଇନରେ ସିଗାରେଟ କିଣିବା ପାଇଁ ସର୍ବନିମ୍ନ ବୟସ ସୀମା ପ୍ରତିବର୍ଷ ବୃଦ୍ଧି ପାଇବ । ଯାହାଫଳରେ ଆଜିର ଯୁବପିଢ଼ି କେବେ ବି ଏହି ବୟସ ସୀମାରେ ପହଂଚି ପାରିବେ ନାହିଁ । ସରକାର ଏହି ଆଇନ ଜରିଆରେ ତମାଖୁ ଓ ନିକୋଟିନ ଉତ୍ପାଦର ପ୍ୟାକେଜିଂ ଏବଂ ପ୍ଲେଭରକୁ ମଧ୍ୟ ନିୟନ୍ତ୍ରଣ କରିବାକୁ କ୍ଷମତା ପାଇଛନ୍ତି । ସ୍ୱାସ୍ଥ୍ୟ ସଚିବ ୱେସ ଷ୍ଟ୍ରିଟିଂ ଏହି ପଦକ୍ଷେପକୁ ସ୍ୱାଗତ କରି କହିଛନ୍ତି ଯେ ଏହାଦ୍ୱାରା ବ୍ରିଟେନର ଶିଶୁମାନେ ବିଶ୍ୱର ପ୍ରଥମ ଧୂମପାନ ମୁକ୍ତ ପିଢ଼ି ଭାବେ ଗଢ଼ି ଉଠିବେ ।
ସରକାରୀ ତଥ୍ୟ ଅନୁଯାୟୀ ବ୍ରିଟେନରେ ଧୂମପାନ କାରଣରୁ ବାର୍ଷିକ ପ୍ରାୟ ୮୦ହଜାର ଲୋକଙ୍କ ମୃତ୍ୟୁ ଘଟୁଛି । ଦେଶରେ ପ୍ରାୟ ୬୪ ଲକ୍ଷ ଲୋକ ବା ଜନସଂଖ୍ୟାର ୧୩ ପ୍ରତିଶତ ଏବେ ବି ଧୂମପାନ କରୁଛନ୍ତି । ୧୯୭୦ ଦଶକ ତୁଳନାରେଏହି ସଂଖ୍ୟା ଦୁଇ-ତୃତୀୟାଂଶ ହ୍ରାସ ପାଇଥିଲେ ମଧ୍ୟ ସ୍ୱାସ୍ଥ୍ୟବସ୍ଥା ଏବଂ ଅକାଳ ମୃତ୍ୟୁ ପାଇଁ ଧୂମପାନ ଏବେ ବି ଏକ ପ୍ରମୁଖ କାରଣ ହୋଇ ରହିଛି ।
ନ୍ୟୁଜିଲ୍ୟାଣ୍ଡ ୨୦୨୨ରେ ଏଭଳି ଏକ ଆଇନ ଆଣିଥିଲେ ମଧ୍ୟ ପରବର୍ତୀ ସରକାର ଏହାକୁ ପ୍ରତ୍ୟାହାର କରି ନେଇଥିଲେ । ତେଣୁ ବ୍ରିଟେନ ସରକାରଙ୍କ ଏହି ଦୃଢ଼ ନିଷ୍ପତି ଆଗାମୀ ଦିନରେ ଅନ୍ୟ ଦେଶମାନଙ୍କ ପାଇଁ ଏକ ଉଦାହରଣ ସାଜିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।