ବିରିଆନୀ, ତରୁଭୁଜ ନେଲା ୪ ଜୀବନ
ଆଜ୍ଞା ସବୁଦିନ ଖାଉଥିଲେ । ଆଜି ବି ଖାଇଲେ; କିନ୍ତୁ ସେମାନେ କ’ଣ ଜାଣିଥିଲେ ଯେ ଏହା ତାଙ୍କର ହେବ ଶେଷ ଭୋଜନ । ଯେଉଁ ବିରିଆନୀ ଓ ତରଭୁଜକୁ ସେମାନେ ପ୍ରତିଦିନ ଖାଉଥିଲେ ଆଜି ତାହାକୁ ଖାଇବା ଯୋଗୁଁ ପ୍ରାଣ ହରାଇଲେ । ଏଭଳି ଏକ ଅଭାବନୀୟ ଓ ଆଶ୍ଚର୍ଯ୍ୟଜନକ ଘଟଣା ମୁମ୍ବାଇ ପେଧୁନି ଅଂଚଳରେ ଘଟିଛି ।
ମୁମ୍ବାଇ ପେଧୁନିରେ ବାସ କରୁଥିବା ୪୦ ବର୍ଷୀୟା ଅବଦୁଲ୍ଲା ଅବଦୁଲ କଦର, ତାଙ୍କର ୩୫ ବର୍ଷୀୟା ପତ୍ନୀ ନସରିନ, ୧୬ ବର୍ଷୀୟା କନ୍ୟା ଆୟେଶା ଏବଂ ୨୩ ବର୍ଷୀୟା ଜୈନବ ଏହି ବିରିଆନୀ ଓ ତରଭୁଜ ଖାଇ ପ୍ରାଣ ହରାଇଛନ୍ତି ।
ଘଟଣାରୁ ପ୍ରକାଶ ଶନିବାର ପ୍ରାୟ ରାତ ୧୦ଟାରେ ମୁମ୍ବାଇ ପେଧୁନି ଅଂଚଳରେ ରହୁଥିବା ଅବଦୁଲା ଓ ତାଙ୍କର ପରିବାର ଗୋଟିଏ ପାର୍ଟିରେ ଯୋଗ ଦେଇ ସେଠାରେ ବିରିଆନୀ ଖାଇଥିଲେ ।
ସେହି ରାତି ପ୍ରାୟ ୧ଟା ସମୟରେ ସେମାନେ ଘରେ ତରଭୁଜ ଖାଇଥିଲେ । ଭୋର ୫ଟା ସମୟରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ସମସ୍ତେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇପଡ଼ିଥିଲେ । ତୁରନ୍ତ ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା ।
ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳକୁ ଜଣଙ୍କ ପରେ ଜଣେ ପ୍ରାଣ ହରାଇଥିଲେ ।
ତେବେ ସେମାନଙ୍କ ମୃତୁ୍ୟ ପଛରେ କେବଳ ବିରିଆନୀ ଓ ତରଭୁଜ ଖାଇବା ନା’ଆଉ କିଛି ତାହା ପୁଲିସ ତଦନ୍ତ କରୁଛି । ସେମାନେ ଖାଇଥିବା ଖାଦ୍ୟର ନମୂନା ପରୀକ୍ଷାଗାରକୁ ପଠାଯାଇଛି ।
ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସତ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି ।