ପେଟ୍ରୋଲ-ଡିଜେଲ ଗାଡ଼ିର ଭବିଷ୍ୟତ ଶୂନ୍ୟ : ଗଡ଼କରୀ
ଦେଶରେ ପେଟ୍ରୋଲ ଓ ଡିଜେଲ ଗାଡିର ଭବିଷ୍ୟତ ଆଉ ନାହିଁ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସ୍ପଷ୍ଟ କରିଛନ୍ତି ।
ବୁଧବାର ଏକ ଶିଳ୍ପ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ ବଢ଼ୁଥିବା ପ୍ରଦୂଷଣ ଓ ବିଦେଶରୁ ମହଙ୍ଗା ତୈଳ ଆମଦାନୀ ଦେଶ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି । ତେଣୁ ଗାଡ଼ି ନିର୍ମାତା କମ୍ପାନୀଗୁଡ଼ିକ ଏବେଠାରୁ ବାୟୋ-ଫୁଏଲ ଏବଂ ବିଦ୍ୟୁତ୍ ଚାଳିତ ଗାଡି ଉପରେ ଗୁରୁତ୍ୱ ଦେବା ଜରୁରୀ ।
ମନ୍ତ୍ରୀ ପରାମର୍ଶ ଛଳରେ ଆହୁରି କହିଥିଲେ ଯେ କେବଳ ଶସ୍ତା ଗାଡ଼ି ତିଆରି ନ କରି ଏହାର ଗୁଣବତା ଓ ସୁରକ୍ଷା ଉପରେ ଧ୍ୟାନ ଦିଅନ୍ତୁ । ଆଜିକାଲିର ଗ୍ରାହକମାନେ କମ ଦାମ ଅପେକ୍ଷା ଭଲ ଗୁଣବତା, ଆରାମଦାୟକ ଓ ନିରାପଦ ଗାଡ଼ିକୁ ଅଧିକ ପସନ୍ଦ କରୁଛନ୍ତି । ତେଣୁ ସୁରକ୍ଷା ସହିତ କୌଣସି ପ୍ରକାର ସାଲିସ କରାଯିବ ନାହିଁ ।
ସେ କହିଛନ୍ତି ଯେ ଭାରତରେ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ସୁଧାରିବା ପାଇଁ ଆଗାମୀ ତିନିବର୍ଷ ମଧ୍ୟରେ ପ୍ରାୟ ଦେଢ଼ଲକ୍ଷ ଇଲେକ୍ଟି୍ରକ ବସର ଆବଶ୍ୟକତା ରହିଛି ।
ବର୍ତମାନ ଭାରତରେ ପ୍ରତି ୧୦୦୦ ଲୋକରେ ମାତ୍ର ୨ଟି ବସ୍ ଅଛି, ଯାହା ଅନ୍ତର୍ଜାତୀୟ ସ୍ତରରେ ୮ଟି ହେବା କଥା ।
ତେଣୁ ଏହି କ୍ଷେତ୍ରରେ ବଡ଼ ସୁଯୋଗ ରହିଛି । ଗାଡ଼ି ଗୁଡ଼ିକରେ ସ୍ୱଦେଶୀ ଜ୍ଞାନକୌଶଳ ଓ ପ୍ରଦୂଷଣମୁକ୍ତ ଇନ୍ଧନ ବ୍ୟବହାର କରିବା ପାଇଁ ସେ କମ୍ପାନୀଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ।