ଘରୋଇ ଇଂଜିନିୟରିଂ କଲେଜରେ ଛାତ୍ର ମୃତ୍ୟୁ ଘଟଣା
ପୁଅକୁ ରାଗିଂ କରାଯାଉଥିଲା : ମାଆ
ରାଜଧାନୀର ଶିଖରଚଣ୍ଡୀ ଠାରେ ଥିବା ଏକ ଘରୋଇ ଇଂଜିନିୟରିଂ କଲେଜ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରଙ୍କ ଅଭିଭାବକ । ମୋ ପୁଅକୁ ଭଲରେ ଖାଇବାକୁ ଦିଆଯାଉନଥିଲା ଏବଂ ତାକୁ ବାରମ୍ବାର ରାଗିଂ କରାଯାଉଥିଲା ବୋଲି ମୃତ ଛାତ୍ରଙ୍କ ମାଆ ଅଭିଯୋଗ ଆଣିଛନ୍ତି ।
ଭଲରେ ଖାଇବାକୁ ଦିଆଯାଉନଥିବାରୁ ପୁଅ ବାହାରୁ କିଣି ଖାଉଥିଲା ଏବଂ ଗତ ୨ ଦିନ ହେବ ସେ କେବଳ ଛତୁଆ ଖାଇ ରହୁଥିଲା ବୋଲି ମୃତ ବିଟେକ ଛାତ୍ର ବିଶ୍ୱାସ ସ୍ୱାଇଁଙ୍କ ମାଆ ଅଭିଯୋଗ ଆଣିଛନ୍ତି ।
ଏନେଇ ଇନଫୋସିଟି ଥାନାରେ ମୃତ ଛାତ୍ର ବିଶ୍ୱାସଙ୍କ ପିତା ବସନ୍ତ ସ୍ୱାଇଁଅଭିଯୋଗ ଆଣିଛନ୍ତି ।
ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ରାତି ୧୦ଟାରେ ପୁଅ ମୋ ସାଙ୍ଗେ ଭଲରେ କଥା ହେଉଥିଲା । ହେଲେ ଏହାର କିଛି ଘଂଟା ପରେ କଲେଜ କର୍ତୃପକ୍ଷ ଆମକୁ ‘ତୁମ ପୁଅ ଆତ୍ମହତ୍ୟା ‘ କରିଛି ବୋଲି ଫୋନ ଯୋଗେ ଜଣାଇଥିଲେ ।
ତେବେ ଫୋନ କରିବାର ଘଂଟାକ ମଧ୍ୟରେ ପୁଅ କିଭଳି ଆତ୍ମହତ୍ୟା କରିପାରିବ ବୋଲି ମୃତ ଛାତ୍ର ବିଶ୍ୱାସଙ୍କ ପିତା ପ୍ରଶ୍ନ କରିବା ସହ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଅଭିଯୋଗ ଆଣି ଏହାର ତଦନ୍ତ ଦାବି କରିଛନ୍ତି ।
ଅନ୍ୟପଟେ ଶିଖରଚଣ୍ଡୀ ସ୍ଥିତ ଏହି ଘରୋଇ ଇଂଜିନିୟରିଂ କଜେଲ କର୍ତୃପକ୍ଷ ତାଙ୍କ ପ୍ରତିକି୍ରିୟାରେ କହିଛନ୍ତି ଯେ, ୱାଡେନ ନିଜ କର୍ତବ୍ୟ କରୁଥିଲେ ।
ଇନଫୋସିଟି ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ବିଶ୍ୱାସଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।