୮୩୬୪ ଦେଇ ନାହାନ୍ତି ମାଟ୍ରିକ ପରୀକ୍ଷା
ଜିଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ଦେବାକୁ ନିର୍ଦେଶ
ଚଳିତବର୍ଷ ରାଜ୍ୟରେ ୮,୩୬୪ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇ ନାହାନ୍ତି ।
ଏପରିକି ବହୁ ଛାତ୍ରଛାତ୍ରୀ ଫର୍ମ ପୂରଣ ମଧ୍ୟ କରି ନଥିବା ଜଣାପଡ଼ିଛି । ସଂପୃକ୍ତ ଛାତ୍ରଛାତ୍ରୀମାନେ କେଉଁ କାରଣରୁ ପରୀକ୍ଷା ଦେବାକୁ ଆସି ନଥିଲେ ଏବଂ କେଉଁ କେଉଁ ଅସୁବିଧା ରହିଲା ତାହା ଜାଣିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗୁରୁତ୍ୱ ଦେଇଥିବା ପରିଲକ୍ଷିତ ହୋଇଛି ।
ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ କାରଣ ଖୋଜିବାକୁ କୁହାଯାଇଥିବାବେଳେ ଛାତ୍ରଛାତ୍ରୀଙ୍କୁ ସପ୍ଲିମେଂଟାରୀ ପରୀକ୍ଷା ଦେବାକୁ ସଚେତନ ନିମନ୍ତେ ନିର୍ଦେଶ ଦିଆଯାଇଛି । ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ କେନ୍ଦୁଝରର ସର୍ବାଧିକ ୭୫୨ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଏନ. ତିରୁମାଲା ନାୟକ ସୂଚନା ଦେଇଛନ୍ତି ।
ରାଜ୍ୟରେ ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ମେ ୮ ତାରିଖରୁ ୧୮ ତାରିଖ ଯାଏ ଫର୍ମ ପୂରଣ କରାଯିବ । ତେଣୁ ମାଟ୍ରିକ ପରୀକ୍ଷା ଦେଇ ନଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ସଚେତନ କରାଯିବ ।
ରାଜ୍ୟରେ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେନ୍ଦୁଝର ବ୍ୟତୀତ ମୟୁରଭଞ୍ଜରେ ୭୫୦ଜଣ ରହିଛନ୍ତି । ସେହିପରି ବଲାଙ୍ଗିରରେ ୬୪୦, ବାଲେଶ୍ୱରରେ ୬୨୭, ଗଞ୍ଜାମରେ ୫୨୦, ଯାଜପୁରରେ ୪୫୯, କଳାହାଣ୍ଡିରେ ୩୮୦, ଭଦ୍ରକରେ ୩୭୨, ସୁନ୍ଦରଗଡ଼ରେ ୨୬୮, କଟକରେ ୨୬୬, କେନ୍ଦ୍ରାପଡ଼ାରେ ୨୬୦, ମାଲକାନଗିରିରେ ୨୫୫, ଢେଙ୍କାନାଳରେ ୨୪୬, ଖୋର୍ଦ୍ଦାରେ ୨୪୨, ରାୟଗଡ଼ାରେ ୨୧୨, ନବରଙ୍ଗପୁରରେ ୨୦୯, ନୂଆପଡ଼ାରେ ୧୮୪, ବରଗଡ଼ରେ ୧୭୫, କନ୍ଧମାଳରେ ୧୭୪, ପୁରୀରେ ୧୬୭, ନୟାଗଡ଼ରେ ୧୬୨, ଜଗତସିଂହପୁରରେ ୧୬୧, କୋରାପୁଟରେ ୧୪୪, ଅନୁଗୋଳରେ ୧୪୩, ଗଜପତିରେ ୧୩୪, ସୁବର୍ଣ୍ଣପୁରରେ ୧୩୦, ସମ୍ବଲପୁରରେ ୧୦୭, ଝାରସୁଗୁଡ଼ାରେ ୯୦, ଦେବଗଡ଼ରେ ୬୭, ବୌଦ୍ଦରେ ୬୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାନ୍ତି । ପୂର୍ବରୁ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚିନ୍ତା ବଢ଼ାଇଥିଲା ।
ଏ ନେଇ ବିଭାଗୀୟ ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କ ସମେତ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ହୋଇଥିଲା ।
ବୈଠକରେ କାହିଁକି ଛାତ୍ରଛାତ୍ରୀମାନେ ଅନୁପସ୍ଥିତ ରହିଲେ ତାର ତଥ୍ୟ ସଂଗ୍ରହ ନିମିତ ନିର୍ଦେଶ ହୋଇଥିଲା । ଯେପରି ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ସପ୍ଲିମେଂଟାରୀ ପରୀକ୍ଷା ଦେବେ ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦେଶ ହୋଇଛି ।