ଝଡ଼ତୋଫାନରେ ୩୧ ମୃତ
ରାଜସ୍ଥାନର ଉତର-ପଶ୍ଚିମ ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ ଦେଶର ଅଧିକାଂଶ ସ୍ଥାନରେ ପାଗ ପରିବର୍ତନ ହୋଇଛି ।
ଏକ ଟ୍ରଫ ଦକ୍ଷିଣ-ପୂର୍ବ ଉତର ପ୍ରଦେଶରୁ ତାମିଲନାଡ଼ୁ ପର୍ଯ୍ୟନ୍ତ ବ୍ୟାପିଛି, ଫଳରେ ଉତର, ମଧ୍ୟ ଏବଂ ଦକ୍ଷିଣ ଭାରତରେ ବର୍ଷା ହେଉଛି ।
ଗତ ୨୪ଘଂଟା ମଧ୍ୟରେ ବିହାର, ହରିଆଣା, ଉତର ପ୍ରଦେଶ, ଉତରାଖଣ୍ଡ ଏବଂ ଉତର-ପୂର୍ବ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ସହିତ ଝଡ଼ ହୋଇଛି । ୟୁପରେ ଝଡ଼ ଏବଂ ବର୍ଷା ଯୋଗୁଁ ଆଠଜଣ ପ୍ରାଣ ହରାଇଛନ୍ତି । ପଲିଭିତରେ ଏକ ଇଟା ଭାଟିର ୧୦୦ଫୁଟ ଉଚ ଚିମିନି ଭୁଶୁଡ଼ି ପଡ଼ିଛି, ଗାଜିପୁରରେ ଏକ ମାଟି ଘରର କାନ୍ଥ ଭୁଶୁଡ଼ି ପଡ଼ିଛି ।
ସୋମବାର ବିହାରର ୨୨ଟି ଜିଲାରେ ଝଡ଼ ସହିତ ପ୍ରବଳ ବର୍ଷା ହୋଇଥିଲା । ବଜ୍ରପାତରେ ସାତଜଣ ଶିଶୁ ସମେତ ୨୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ମହିଳା ପୋଡ଼ି ଆହତ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ମୋଟ ଝଡ଼ତୋଫାନରେ ୩୧ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଜଣାପଡ଼ିଛି ।
ଆଜି ୧୮ଜଣ ଜିଲା ପାଇଁ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ରାଜସ୍ଥାନରେ ସୋମବାର ତାପମାତ୍ରା ୮ଡିଗ୍ରୀକୁ ହ୍ରାସ ପାଇଛି । ଜୟପୁର ସମେତ ଅନେକ ସହରରେ ସର୍ବାଧିକ ତାପମାତ୍ରା ୩୫ଡିଗ୍ରୀ ତଳେ ରହିଛି । ଅନ୍ୟପକ୍ଷରେ ହରିଆଣାରେ ପ୍ରବଳ ଝଡ଼ ଯୋଗୁଁ ବହୁ ଗଛ ଉପାଡ଼ି ଯାଇଛି ।
ହିମାଚଳ ପ୍ରଦେଶର ସୋଲାନାରେ ତାପମାତ୍ରା ୪.୮ଡିଗ୍ରୀ ସେଲସିୟସ ଥିଲା । ଜଣାପଡ଼ିଛି ଯେ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବର୍ଷା ସହିତ ବଜ୍ରପାତର ଆଶଙ୍କା ରହିଛି । ଆସାମ, ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶ ପାଇଁ ବିଚ୍ଛିନ୍ନ ଅଂଚଳରେ ବଜ୍ରପାତ ଏବଂ ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରାଯାଇଛି ।
ଉତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଓଡ଼ିଶାରେ ବଜ୍ରପାତର ଆଶଙ୍କା ଅଛି । ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ଦକ୍ଷିଣ ଭାରତର କିଛି ସ୍ଥାନରେ ପ୍ରବଳ ପବନ ସହିତ ହାଲୁକା ବର୍ଷା ହେବାର ସମ୍ଭାବନା ଦେଖାଦେଇଛି ।