ଭୁୁବନେଶ୍ୱରସ୍ଥିତ ଆପାର୍ଟମେଂଟରେ ଅଗ୍ନିକାଣ୍ଡ, ୩ ମୃତ
ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଥିଲା
ଭୁବନେଶ୍ୱର ଲକ୍ଷ୍ମୀନଗର ଥାନା ଅଧୀନସ୍ଥ ବାସନ୍ତୀଭିଲାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଆପାର୍ଟମେଂଟରେ ନିଆଁ ଲାଗିଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଜଣେ ସୁରକ୍ଷାକର୍ମୀ ଓ ମହିଳା ପ୍ରାଣ ହରାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି ।
ଘଟଣାରୁ ପ୍ରକାଶ ଯେ, ବୁଧବାର ଭୋର ସମୟରେ ବାସନ୍ତୀଭିଲାରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଆପାର୍ଟମେଂଟରେ ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗିଥିଲାବେଳେ ପଯ୍ୟାପ୍ତ ଅଗ୍ନି ନିର୍ବାପନ ସୁରକ୍ଷା ବ୍ୟବସ୍ଥା ନଥିବାରୁ ତାହା କ୍ରମେ ଉଗ୍ର ରୂପ ଧାରଣ କରିଥିଲା ।
ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଆପାର୍ଟମେଂଟରେ ଫସି ରହିଥିବା ୨୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଏଥିରେ ଉକ୍ତ ଆପାର୍ଟମେଂଟରେ ରହିଥିବା ଏକାଧିକ ୨ ଚକିଆ ଗାଡ଼ି ଜଳିପୋଡ଼ି ପାଉଁଶ ହୋଇଯାଇଛି ।
ନିଅାଁ ଲାଗିବାବେଳେ ଆପାର୍ଟମେଂଟର ଏକ କୋଠରୀରେ ଶୋଇଥିବା ଜଣେ ମହିଳା ଓ ତାଙ୍କ ଛୋଟ ଝିଅ ଏଥିରେ ଫସିଯାଇଥିଲେ ।
ପରେ ଅଗ୍ନିଶମବାହିନୀ ଗୁରୁତର ଛୋଟ ଝିଅଟିକୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିବାବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଛି ।
ସେହିଭଳି ଏହି ଅଗ୍ନିକାଣ୍ଡରେ ଜଣେ ମହିଳା ଓ ସେଠାରେ ନିୟୋଜିତ ଜଣେ ସୁରକ୍ଷାକର୍ମୀ ଜୀବନ୍ତ ଦଗ୍ଧ ହୋଇଛନ୍ତି ।