ଆସ୍ଥା ଭୋଟ ଜିତିଲେ ମୁଖ୍ୟମନ୍ତ୍ରୀ ବିଜୟ
ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ତଥା ତାମିଲଗା ଭେଟ୍ରି କାଜାଗମ (ଟିଭିକେ) ମୁଖ୍ୟ ସି. ଜୋସେଫ ବିଜୟ ବୁଧବାର ତାମିଲନାଡୁ ବିଧାନସଭାରେ ଆସ୍ଥା ଭୋଟ ଜିତିଛନ୍ତି ।
ତାଙ୍କ ସପକ୍ଷରେ ୧୪୪ଟି ଭୋଟ ପଡ଼ିଥିବାବେଳେ ବିପକ୍ଷରେ ମାତ୍ର ୨୨ଟି ଭୋଟ ପଡ଼ିଛି ଏବଂ ୫ଜଣ ବିଧାୟକ ଭୋଟଦାରୁ ବିରତ ରହିଛନ୍ତି । ଏହି ବିଜୟ ସହିତ ସେ ରାଜ୍ୟରେ ନିଜ ସରକାରର ସ୍ଥିତିକୁ ସୁଦୃଢ଼ କରିଛନ୍ତି । ରିପୋର୍ଟ ଅନୁସାରେ ବିରୋଧୀ ଦଳ ଏଆଇଏଡିଏମକେର ୨୫ଜଣ ବିଧାୟକ ଦଳୀୟ ହ୍ୱିପକୁ ଅମାନ୍ୟ କରି ବିଜୟଙ୍କୁ ସମର୍ଥନ ଜଣାଇଛନ୍ତି ।
ଦଳର ସାଧାରଣ ସମ୍ପାଦକ ଏଡାପାଡି କେ ପଲାନିସ୍ୱାମୀ ସମସ୍ତ ୪୭ଜଣ ବିଧାୟକଙ୍କୁ ଟିଭିକେ ସରକାର ବିପକ୍ଷରେ ଭୋଟ ଦେବାକୁ ନିର୍ଦେଶ ଦେଇଥିଲେ । ମାତ୍ର ବିଧାନସଭା ଭିତରେ ଦଳର ନେତାଙ୍କ ମଧ୍ୟରେ ତୀବ୍ର ବିବାଦ ଦେଖିବାକୁ ମିଳିଥିଲା ।
ପଲାନିସ୍ୱାମୀ ଅଭିଯୋଗ କରିଛନ୍ତି ଯେ ବିଧାୟକମାନଙ୍କୁ ମନ୍ତ୍ରିପଦ ଓ ଅନ୍ୟାନ୍ୟ ଲାଭଜନକ ପଦବୀର ପ୍ରଲୋଭନ ଦେଖାଇ ନିଜ ଆଡକୁ ଆଣିବାକୁ ଉଦ୍ୟମ କରାଯାଇଛି । ଭୋଟଗ୍ରହଣ ସମୟରେ ବିରୋଧୀ ଡିଏମକେ ବିଧାୟକମାନେ କକ୍ଷତ୍ୟାଗ କରିଥିଲେ ।
ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ କଟାକ୍ଷ କରି କହିଛନ୍ତି ଯେ ଆମେ କକ୍ଷତ୍ୟାଗ କରୁଛୁ ଏବଂ ଏହାଦ୍ୱାରା ଆପଣ ସହଜରେ ବହୁମତ ହାସଲ କରିପାରିବେ । ସେ ମଧ୍ୟ ପୂର୍ବ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ରାଜନୀତିକରଣ ନ କରିବାକୁ ଅନୁରୋଧ କରିଥିଲେ ।
ଅନ୍ୟପକ୍ଷରେ କଂଗ୍ରେସ, ସିପିଆଇ, ସିପିଆଇଏମ, ଭିସିକେ ଏବଂ ଆଇୟୁଏମଏଲ ଭଳି ଦଳଗୁଡ଼ିକ ଟିଭିକେକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ଏହା ବ୍ୟତୀତ ବହିଷ୍କୃତ ଏଏମଏମକେ ବିଧାୟକ କାମରାଜ ମଧ୍ୟ ସରକାରଙ୍କୁ ସମର୍ଥନ ଦେଇ ବିଜୟଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି । ସି. ଜୋସେଫ ବିଜୟ ତ୍ରିଚି ଇଷ୍ଟ ଆସନରୁ ଇସ୍ତଫା ଦେଇ ପେରାମ୍ବୁର ଆସନ ନିଜ ପାଖରେ ରଖିବା ପରେ ବିଧାନସଭାରେ ଟିଭିକେର ନିଜସ୍ୱ ସଦସ୍ୟ ୧୦୭ ରହିଛି ।
ମେଂଟ ସହଯୋଗୀଙ୍କୁ ମିଶାଇ ଦଳର ସଂଖ୍ୟାବଳ ୧୨୦ ଥିଲା । ତେବେ କୋର୍ଟଙ୍କ ନିର୍ଦେଶ ଯୋଗୁ ଜଣେ ବିଧାୟକ ଭୋଟ ଦେବାରୁ ବଂଚିତ ହୋଇଛନ୍ତି ।
ଟିଭିକେ ନିର୍ବାଚନରେ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇ ଡିଏମକେ ଏବଂ ଏଆଇଏଡିଏମକେର ଦୀର୍ଘ ଦିନର ଦ୍ରାବିଡ଼ ଆଧିପତ୍ୟକୁ ଶେଷ କରି ରାଜ୍ୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ।