ବ୍ରହ୍ମପୁର ଗିରିଛକ ମବଲିଚିଂ ଘଟଣା
ଆତ୍ମରକ୍ଷାରୁ ମୁଖ୍ୟ ଅଭିଯୁକ୍ତକୁ ଏନକାଉଂଟର
ସାରା ରାଜ୍ୟରେ ଗତ କିଛି ଦିନ ହେବ ବିଭିନ୍ନ ଜିଲାରେ ଭିଡ଼ ହିଂସା ଦେଖିବାକୁ ମିଳୁଛି । ଏହି ଭିଡ଼ହିଂସାରେ ବାଲିଅନ୍ତାରେ କନେଷ୍ଟବଳ ସୌମ୍ୟରଞ୍ଜନ ଓ ପରେ ବାଲିପାଟଣା ଏବଂ ନୟାଗଡ଼ରେ ଲୋକଙ୍କ ପ୍ରାଣହାନି ଘଟିଛି । ତେବେ ଏପରି ଭିଡ଼ହିଂସା ବା ମବଲିଚିଂକୁ କଦାପି ବରଦାସ୍ତ କରଯିବନି । ଆବଶ୍ୟକ ହେଲେ ଏନକାଉଂଟର କରାଯିବ ବୋଲି କିଛିଦିନ ତଳେ ଖୋଦ ଡିଆଜି ୱାଇ.ବି.ଖୁରାନିଆ ଚେତାବନୀ ଦେଇଥିଲେ । ଏହାର ଝଲକ ଆଜି ବ୍ରହ୍ମପୁରରେ ଦେଖିବାକୁ ମିଳିଛି ।
ଗତ କିଛି ଦିନ ତଳେ ବ୍ରହ୍ମପୁରର ଗିରିଛକଠାରେ ଉମେଶ ନାମକ ଜଣେ ଯୁବକଙକ୍ୁ କିଛି ଦୁର୍ବୃତ ନିର୍ଘାତ ମାଡ଼ ମାରି ଲହୁଲୁହାଣ କରିଦେଇଥିଲେ । ଏପରିକି ସେମାନେ ମାନବିକତାର ସବୁ ସୀମା ଟପି ଉମେଶଙ୍କ ସାଙ୍ଗରେ ଥିବା ତାଙ୍କ ବାନ୍ଧବୀଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇନଥିଲେ । ସେହି ସମୟରେ ସେଠାରେ ଡୁ୍ୟଟିରେ ଥିବା ପୁଲିସ କର୍ମଚାରୀମାନେ ମଧ୍ୟ ଏହାକୁ ଅଣଦେଖା କରିଦେଇଥିଲେ ଓ କେତେକ ପୁଲିସ କର୍ମଚାରୀ ମୋବାଇଲ ଦେଖୁଥିବା ର ଭିଡିଓ ପ୍ରଘଟ ହୋଇଥିଲା ।
ପୁଲିସର ଏପରି ଅପାରଗତାକୁ ନେଇ ରାଜ୍ୟ ତମାମ ଛି’ଛାକର କରାଯିବା ପରେ ପୁଲିସର ଚେତା ଆସିଥିଲା । ପୁଲିସ ଏହି ମବଲିଚିଂର ଅଭିଯୁକ୍ତଙ୍କୁ ଧରିବା ପାଇଁ ତତ୍ପରତା ଦେଖାଇଥଇଲା ।
ଗୁରୁବାର ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମୁଫତେଶ ସାହୁ ଓରଫ ମୁକେଶକୁ ପୁଲିସ ଏନକାଉଂଟର କରିଛି । ତେବେ ଅଭିଯୁକ୍ତ ଜଣକ ପୁଲିସ ଉପରେ ପାଲଟା ଆକ୍ରମଣ କରିବାକୁ ଆତ୍ମରକ୍ଷା ନିମନ୍ତେ ପୁଲିସ ଏନକାଉଂଟର କରିଥିବା ଦକ୍ଷିଣାଂଚଳ ଆଇଜି ନୀତି ଶେଖର ସୂଚନା ଦେଇଛନ୍ତି । ଅନ୍ୟ ସହଯୋଗୀଙ୍କୁ ଚିହ୍ନଟ ପାଇଁ ମୁଖ୍ୟ ଅଭିଯୁକ୍ତକୁ ନେଉଥିଲୁ । ଏହି ସମୟରେ ଜଣେ ଏଏସଆଇଙ୍କ ସର୍ଭିସ ରିଭଲଭର ଛଡ଼ାଇବାରୁ ଆତ୍ମରକ୍ଷା ପାଇଁ ଏନକାଉଂଟର କଲୁ ବୋଲି ଦକ୍ଷିଣାଂଚଳ ଆଇଜି ନୀତି ଶେଖର କହିଛନ୍ତି । ଏହି ମାମଲାରେ ଗତ ବୁଧବାର ୨ ଜଣଙ୍କୁ ପୁଲିସ ଗିରଫ ମଧ୍ୟ କରିସାରିଛି ।