ରାଜ୍ୟ ଅତିଥି ଭବନରେ ରଥଯାତ୍ରା ପ୍ରସ୍ତୁତି ବୈଠକ
ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାକୁ ଯେପରି ଶୃଙ୍ଖଳିତ ଭାବେ ସମ୍ପନ୍ନ କରାଯାଇପାରେ ସେଥିପାଇଁ ରାଜ୍ୟ ଅତିଥି ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ରାଜ୍ୟ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରଥଯାତ୍ରା ଏବଂ ଏହା ସହିତ ଜଡ଼ିତ ବିଭିନ୍ନ ନୀତିକାନ୍ତିର ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା । ଦର୍ଶକଙ୍କ ଭିଡ଼କୁ କିପରି ନିୟନ୍ତ୍ରଣ କରିହେବ, ଗୁଣ୍ଡିଚା ରଥ ଲାଗିବା ପରେ କେଉଁଠି ଚାରା ରହିବ, ଭକ୍ତମାନେ କିପରି ଦର୍ଶନ କରିବେ, କେଉଁପଟେ ଦର୍ଶକମାନେ ସହରକୁ ପଶିବେ ଓ ବାହାରିବେ ଇତ୍ୟାଦି ବିଷୟକୁ ନେଇ ଆଲୋଚନା ହୋଇଥିଲା ।
ସ୍ନାନଯାତ୍ରା ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ବୈଠକରେ ଉପସ୍ଥିତ ରହି ରଥକାଠ, ଦଉଡି, କପଡ଼ା ଏବଂ ଅନ୍ୟାନ୍ୟ ନୀତି ସାମଗ୍ରୀର ଉପଲବ୍ଧତା ସମ୍ପର୍କରେ ସୂଚନା ଦେଇଥିଲେ ।
ଆଗାମୀ ରଥଯାତ୍ରା ଉତ୍ସବ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ସେ ନିଶ୍ଚିତ କରିଛନ୍ତି ।
ଉତ୍ସବର ସୁଗମ ପରିଚାଳନା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାଂସକ (ଏସଜେଟିଏ), ଜିଲା ପ୍ରଶାସ. ପୁଲିସ, ସେବାୟତ ଏବଂ ଦଇତାପତି ନିଯୋଗ ମଧ୍ୟରେ ଉତମ ସମନ୍ୱୟ ଜରୁରୀ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ଭକ୍ତମାନଙ୍କ ସୁବିଧା, ଭିଡ଼ ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା ଏବଂ ନିର୍ଦର୍ାରିତ ସମୟରେ ନୀତିକାନ୍ତି ସମ୍ପନ୍ନ କରିବା ନେଇ ବ୍ୟାପକ ଆଲୋଚନା ହୋଇଥିଲା ।
ବରିଷ୍ଠ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ବ୍ୟାରିକେଡିଂ ଏବଂ ସୁରକ୍ଷା କର୍ମୀଙ୍କ ମୁତୟନ ଉପରେ ରଣନୀତି ପ୍ରସ୍ତୁତ କରିଥିଲେ ।