ବିଧାନସଭା ନିର୍ବାଚନ : ସରିଲା ୫ ରାଜ୍ୟ, ଏବେ ଉତରପ୍ରଦେଶ
ନିକଟରେ ୫ ରାଜ୍ୟ ଯଥା ପଶ୍ଚିମବଙ୍ଗ, ତାମିଲନାଡ଼ୁ, କେରଳ, ଆସାମ, ପୁଡ଼ୁଚେରୀ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଏବେ ସମସ୍ତଙ୍କ ନଜର ଉତରପ୍ରଦେଶ ନିର୍ବାଚନ ଉପରେ । ତେବେ ରାଜନୈତିକ ମହଲରେ ଚର୍ଚା ହେଉଛି ଯେ ଉତରପ୍ରଦେଶରେ ଆଗୁଆ ନିର୍ବାଚନ ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ।
ଯେହେତୁ ୨୦୨୨ ମସିହା ମାର୍ଚରେ ଉତରପ୍ରଦେଶର ବର୍ତମାନ ସରକାର ଶପଥ ନେଇଥିଲା, ସେଦୃଷ୍ଟିରୁ ଏହି ଆଶଙ୍କାକୁ ରାଜନୈତିକ ମହଲ ଗୁରୁତ୍ୱ ଦେବା ଆରମ୍ଭ କରିଛି ।
ଯୋଗୀ ଆଦିତ୍ୟନାଥ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ଅଷ୍ଟାଦଶ ବିଧାନସଭାର ପ୍ରଥମ ଅଧିବେଶନ ୨୦୨୨ ମସିହା ମେ ୨୩ ତାରିଖରେ ହୋଇଥିବାରୁ ଗୃହର କାର୍ଯ୍ୟକାଳ ୨୦୨୭ ମସିହା ମେ ୨୨ ତାରିଖ ପୂର୍ବରୁ ଶେଷ ହେଉଛି । ଏହା ପୂର୍ବରୁ ୨୦୨୭ ମାର୍ଚରେ ଉତରପ୍ରଦେଶ ବିଧାନସଭା ନିର୍ବାଚନ ହେବ ବୋଲି କୁହାଯାଉଛି । କିନ୍ତୁ ଏବେ ରାଜନୈତିକ ମହଲରେ ଚର୍ଚା ହେଉଛି ଯେ ଉତରପ୍ରଦେଶ ବିଧାନସଭା ନିର୍ବାଚନ ମାର୍ଚ ବଦଳରେ ଜାନୁଆରୀରେ ଶେଷ ଭାଗକୁ ହେବ ।
ଉତରପ୍ରଦେଶ ସହ ପଞ୍ଜାବ, ଉତରାଖଣ୍ଡ, ଗୋଆ ଏବଂ ମଣିପୁରରେ ମଧ୍ୟ ନିର୍ବାଚନ ହେବ । ତେବେ ନିର୍ବାଚନ ଆଗୁଆ ହେବାର ଏକ ସମ୍ଭାବ୍ୟ କାରଣ ହେଉଛି ଯେ ୨୦୨୭ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ଫେବୃଆରୀରେ ରହିଛି, ତେବେ ସରକାରୀ ସ୍ତରରେ ଏ ନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ । ମିଳିଥିବା ସୂଚନା ଅନୁସାରେ ନିର୍ବାଚନ ଫେବୃଆରୀରୁ ମାର୍ଚ ମଧ୍ୟରେ ହେବା ବଦଳରେ ୨୦୨୬ ଡିସେମ୍ବରରୁ ୨୦୨୭ ଜାନୁଆରୀ ମଧ୍ୟରେ ହେବାର ଅଛି । ଅଷ୍ଟାଦଶ ବିଧାନସଭା ପାଇଁ ନିର୍ବାଚନ ୨୦୨୨ ଫେବୃୟାରୀରୁ ମାର୍ଚ ମଧ୍ୟରେ ହୋଇଥିଲା ।
୨୦୧୨ ଓ ୨୦୧୭ରେ ମଧ୍ୟ ଷୋଡ଼ଶ ଏବଂ ସପ୍ତଦଶ ବିଧାନସଭା ପାଇଁ ଫେବୃୟାରୀରୁ ମାର୍ଚ ମଧ୍ୟରେ ନିର୍ବାଚନ ହୋଇଥିଲା । ଇତି ମଧ୍ୟରେ ରାଜ୍ୟରେ ରାଜନୈତିକ ଦଳଗୁଡ଼ିକ ମଧ୍ୟ ସଂକେତ ଦେଇ ସାରିଛନ୍ତି ଯେ ସେମାନେ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛନ୍ତି । ସମାଜବାଦୀ ପାର୍ଟି ସଭାପତି ରାଜେନ୍ଦ୍ର ଚୌଧୁରୀ କହିଛନ୍ତି ଯେତେବେଳେ ବି ନିର୍ବାଚନ ତାରିଖ ଘୋଷଣା ହେବ, ଦଳ ଏଥିପାଇଁ ପ୍ରସ୍ତୁତ ରହିଛି ।
ଉତରପ୍ରଦେଶ କଂଗ୍ରେସ କମିଟି ସଭାପତି ଅଜୟ ରାୟ ଏବଂ କଂଗ୍ରେସ ସିଏଲପି ନେତା ଆରାଧନା ମିଶ୍ର କହିଛନ୍ତି ଯେ କଂଗ୍ରେସ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି ।