୯କିମି ଶାଶୂଙ୍କୁ କାନ୍ଧରେ ବୋହିଲେ ବୋହୂ
କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ମଧ୍ୟ ଏଭଳି ଦୃଶ୍ୟ ସାଧାରଣତଃ ଦେଖିବାକୁ ମିଳୁଛି ।
ଜଣାପଡ଼ିଛି ଯେ ଛତିଶଗଡ଼ର ସୁରଗୁଜା ଜିଲାରେ ଜଣେ ୯୦ବର୍ଷର ଶାଶୂଙ୍କ ପେନସନ ଆଣିବା ପାଇଁ ଜଣେ ବୋହୂ ତାଙ୍କ କାନ୍ଧରେ ୯କିମି ବୋହି ଯାତ୍ରା କରିଛନ୍ତି । ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିବା ଏହି ଭିଡ଼ିଓ ଅନୁଯାୟୀ ସୁଖମଣିଆ ବାଈ ନାମ୍ନୀ ଏହି ମହିଳାଜଣକ ଶାଶୂଙ୍କ ପେନସନ ପାଇଁ ଏଭଳି କଷ୍ଟ ସ୍ୱୀକାର କରିଛନ୍ତି ।
ତାଙ୍କ ଗ୍ରାମରୁ ବ୍ୟାଙ୍କ ପର୍ଯ୍ୟନ୍ତ ଯିବାକୁ ରିକ୍ସା କିମ୍ବା ଅଟୋ ଭଳି କୌଣସି ଯାନବାହନ ନାହିଁ । ଯାହାଦ୍ୱାରା ବାଧ୍ୟ ହୋଇ ବୃନ୍ଧାଙ୍କୁ ବୋହୂ ତାଙ୍କ କାନ୍ଧରେ ବୋହି ଜଙ୍ଗଲ ରାସ୍ତା ଅତିକ୍ରମ କରି ବ୍ୟାଙ୍କ ପହଂଚିଥିଲେ । ଏହି ଦୃଶ୍ୟର ଭିଡିଓ ରେକର୍ଡିଂ କରିଥିବା ବ୍ୟକ୍ତିଜଣକ ସୁଖମଣିଆଙ୍କୁ ଏହାର କାରଣ ପଚାରିଥିଲେ ।
ସ୍ଥାନୀୟ ଆଦିବାସୀ ଭାଷାରେ ସୁଖମଣିଆ କହିଥିଲେ ଯେ ଶାଶୂଙ୍କୁ ବ୍ୟକ୍ତିଗତ ଭାବେ ନ ଦେଖିବା ପର୍ଯ୍ୟନ୍ତ ବ୍ୟାଙ୍କ ଅଧିକାରୀ ପେନସନ ଅର୍ଥ ପ୍ରଦାନ କରିବେ ନାହିଁ ।
ବୃଦ୍ଧାଙ୍କୁ ମାସିକ ୧୫ଶହ ଟଙ୍କାର ଫ୍ୟାମିଲି ପେନସନ ମିଳୁଛି । ପ୍ରତିମାସ ବ୍ୟାଙ୍କ ଯିବା ସମ୍ଭବ ହେଉ ନଥିବାରୁ ପ୍ରତି ତିନି ଚାରି ମାସରେ ଥରେ ଶାଶୂଙ୍କୁ କାନ୍ଧରେ ବୋହି ବ୍ୟାଙ୍କ ନେବାକୁ ପଡ଼ୁଛି ବୋଲି ସୁଖମଣିଆ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ପୂର୍ବରୁ ଗ୍ରାମ ସରପଂଚଙ୍କ ଜରିଆରେ ପେନସନ ଅର୍ଥ ମିଳୁଥିଲା ।
ତେବେ ସରକାରୀ ବ୍ୟବସ୍ଥାରେ ପରିବର୍ତନ ଘଟିବା ପରେ ବର୍ତମାନ ହିତାଧିକାରୀଭ୍କୁ ବ୍ୟକ୍ତିଗତ ଭାବେ ବ୍ୟାଙ୍କ ଯିବାକୁ ପଡ଼ୁଛି । ଏହି ଭିଡିଓ ପ୍ରଘଟ ହେବା ପରେ ସାମାଜିକ ଗଣମାଧ୍ୟମର ଉପଭୋକ୍ତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ରାଜ୍ୟ ସରକାର ଲୋକଙ୍କ ଦୂଆରେ କଲ୍ୟାଣକାରୀ ସେବା ପହଂଚିବ ବୋଲି ଡିଣ୍ଡିମ ପିଟୁଥିବାବେଳେ ଦୁର୍ଗମ ଗ୍ରାମାଂଚଳରେ ଲୋକଙ୍କର ଦୂରବସ୍ଥା କିପରି ନଜରକୁ ଆସୁନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।