ଇବୋଲା ଡର, ତିନି ରାଷ୍ଟ୍ରକୁ ନ ଯିବାକୁ ପରାମର୍ଶ
ଭୂତାଣୁ ସଂକ୍ରମଣ ‘ଇବୋଲା’ ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତ ସରକାର ତିନିଟି ଆଫ୍ରିକୀୟ ରାଷ୍ଟ୍ରକୁ ନ ଯିବା ଲାଗି ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ।
ଏହି ତିନି ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକ ହେଲା କଙ୍ଗୋ, ଉଗାଣ୍ଡା ଓ ଦକ୍ଷିଣ ସୁଦାନ । ଅତି ଜରୁରୀ ଆବଶ୍ୟକତା ନଥିଲେ ଏହି ସମସ୍ତ ଦେଶକୁ ନଯିବାକୁ ପରାମର୍ଶ ଦିଆଯାଇଛି । ରବିବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଏହି ସମସ୍ତ ଦେଶରେ ବସବାସ କରୁଥିବା ଭାରତୀୟ କିମ୍ବା ଏଠାକୁ ଯିବାକୁ ଚାହୁଁଥିବା ଭାରତୀୟଙ୍କୁ ସ୍ୱାଧାରଣ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା ଅନୁସରଣ କରିବାକୁ କୁହାଯାଇଛି ।
ଏହା ପୂର୍ବରୁ ମେ ୨୧ରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦେଶନାମାରେ ଇବୋଲା ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବିମାନ ବନ୍ଦରରେ କରାଯିବାକୁ କୁହାଯାଇଥିଲା । ସେହିପରି ଯେଉଁ ଯାତ୍ରୀଙ୍କଠାରେ ଭୂତାଣୁ ସଂକ୍ରମଣର ସୂଚନା ମିଳିବ ସେମାନଙ୍କୁ ବିମାନବନ୍ଦର ସ୍ୱାସ୍ଥ୍ୟ କର୍ତୃପକ୍ଷଙ୍କ ନିକଟରେ ରିପୋର୍ଟ କରିବାକୁ କୁହାଯାଇଥିଲା ।
ଇବୋଲା ଭୂତାଣୁ ସଂକ୍ରମଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି ।
ଏହି ଭୂତାଣୁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଏହାକୁ ରୋକିବା ପାଇଁ ସାରା ବିଶ୍ୱକୁ ଏକାଠି ହୋଇ କାମ କରିବାକୁ ପଡ଼ିବ ।
ଏହି ଭୂତାଣୁ ସଂକ୍ରମଣରେ ଏବେ ସୁଦ୍ଧା କଙ୍ଗୋରେ ୨୦୪ଜଣଙ୍କର ମୃତୁ୍ୟ ହୋଇଥିବା ଜଣାପଡ଼ିଛି ।