ମୌସୁମି କେରଳମ ଛୁଇଁବା ବିଳମ୍ବ ସମ୍ଭାବନା
ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ କେରଳମ ଛୁଇଁବା କ୍ଷେତ୍ରରେ ବିଳମ୍ବ ହେବା ସମ୍ଭାବନା ଦେଖାଦେଇଛି ।
ମେ ୨୬ରେ ମୌସୁମି ବାୟୁ କେରଳମ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଥିଲା । ତେବେ ସଦ୍ୟତମ ବିଶ୍ଲେଷଣ ଅନୁଯାୟୀ ଜୁନ ପହିଲା ବେଳକୁ ମୌସୁମି ବାୟୁ କେରଳମରେ ପହଂଚିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ବିଶେଷଜ୍ଞ ବିଶ୍ୱଜିତ ସାହୁ ଗଣମାଧ୍ୟମକୁ କହିଛନ୍ତି ।
ଶ୍ରୀ ସାହୁ କହିଛନ୍ତି ଯେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଚଳାଚଳ କେରଳମ ମୁହାଁ ହୋଇନାହିଁ । ପୁଣି କେରଳରେ ଅଦ୍ୟାବଧି ୬୦% ଅଂଚଳରେ ୨.୫ମିମି ବର୍ଷା ହୋଇନାହିଁ । ତେଣୁ ଜୁନ ପହିଲା ବେଳକୁ କେରଳମରେ ମୌସୁମୀ ବାୟୁ ପହଂଚିବାର ସମ୍ଭାବନା ରହିଛି ।
ମଡେଲ ଜନିତ ତ୍ରୁଟି ପାଇଁ ଏହା ନିର୍ଦ୍ଦାରିତ ତାରିଖରୁ ଦୁଇ ଦିନ ଆଗୁଆ କିମ୍ବା ପଛୁଆ ହୋଇପାରେ । ମୌସୁମି ବାୟୁ କେରଳମ୍ ଛୁଇଁବାର ୧୦ଦିନ ମଧ୍ୟରେ ଓଡ଼ିଶା ଆସିଥାଏ ।
ଜୁନ ପ୍ରଥମ ସପ୍ତାହରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯଦି ଏହି ଲଘୁଚାପ ସୃଷ୍ଟି ହୁଏ, ତେବେ ଓଡ଼ିଶାକୁ ସ୍ୱାଭାବିକ ଭାବେ ମୌସୁମୀ ବାୟୁ ଆସିବାର ସମ୍ଭାବନା ରହିଛି ବୋଲି ଶ୍ରୀ ସାହୁ କହିଛନ୍ତି ।