ତ୍ୱିଷାଙ୍କ ଶାଶୁ ଗିରଫ
ତ୍ୱିଷା ଶର୍ମାଙ୍କ ମୃତ୍ୟୁ ମାମଲାର ରହସ୍ୟ କ୍ରମଶଃ ପଦାକୁ ଆସିବାକୁ ଲାଗିଛି ।
ଜଣାପଡ଼ିଛି ଯେ ଗୁରୁବାର ଅପରାହ୍ନରେ ଅବସରପ୍ରାପ୍ତ ବିଚାରପତି ଗିରିବାଳା ସିଂହଙ୍କୁ ସିବିଆଇ ଗିରଫ କରିଛି । ମଧ୍ୟପ୍ରଦେଶ ହାଇକୋର୍ଟ ସିଂହଙ୍କୁ ପୂର୍ବରୁ ଦିଆଯାଇଥିବା ଆଗୁଆ ଜାମିନ ରଦ୍ଧ କରିବା ଏବଂ ମେ ୧୫ରେ ଭୋପାଳ ସେସନ୍ସ କୋର୍ଟ ପ୍ରଦାନ କରିଥିବା ରିଲିଫକୁ ରଦ୍ଦ କରିବାର ଗୋଟିଏ ଦିନ ପରେ ଏହି ଗିରଫଦାରୀ ଘଟିଛି ।
ଯୌତୁକ ଜନିତ ମୃତ୍ୟୁ, ସ୍ୱାମୀ କିମ୍ବା ସମ୍ପର୍କୀୟଙ୍କଦ୍ୱାରା ମହିଳାଙ୍କ ପ୍ରତି ନିଷ୍ଠୁରତା ଏବଂ ଯୌତୁକ ନିରୋଧ ଆଇନର ଧାରା ଅନୁଯାୟୀ ସିଂହଙ୍କ ବିରୋଧରେ ଅଭିଯୋଗ ହୋଇଛି । ତ୍ୱିଷା ଶର୍ମାଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ପରେ ସିବିଆଇର ଏକ ଟିମ ଭୋପାଳରେ ଥିବା ତାଙ୍କ ବାସଭବନରେ ପହଂଚିଥିଲା ।
ପୀଡ଼ିତାଙ୍କ ବାପା ନବନିଧି ଶର୍ମା କହିଛନ୍ତି ଯେ ନ୍ୟାୟ ପାଇଁ ଏହି ଲଢ଼େଇରେ ଯେଉଁମାନେ ଏପର୍ଯ୍ୟନ୍ତ ଆମ ସହ ଛିଡ଼ା ହୋଇଛନ୍ତି, ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି । ଏହି ମାମଳାକୁ ଗ୍ରହଣ କରିଥିବାରୁ ସେ ସୁପ୍ରିମ କୋର୍ଟ ଓ ଭାରତର ପ୍ରଧାନ ବିଚାରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତିଯେ ଏହା ସମଗ୍ର ସମାଜକୁ ଏକ ଗଭୀର ସକରାତ୍ମକ ବାର୍ତା ପଠାଇଛି ।
ସିବିଆଇ ସମ୍ପୂର୍ଣ୍ଣ ସତ୍ୟକୁ ଉନ୍ମୋଚନ କରିବ ବୋଲି ସେ କହିଛନ୍ତି । ନୋଏଡାର ବାସିନ୍ଦା ତ୍ୱିଷା ଶର୍ମା ତାଙ୍କ ସ୍ୱାମୀ ଓ ପରିବାର ଦ୍ୱାରା ମାନସିକ ନିର୍ଯାତନା ଏବଂ ଯୌତୁକ ନିର୍ଯାତନାର ଶିକାର ହେବା ପରେ ମୃତ୍ୟୁବରଣ କରିଛନ୍ତି । ସେ ଡିସେମ୍ବର ୨୦୨୫ରେ ଭୋପାଳ ବାସିନ୍ଦା ସମର୍ଥ ସିଂହଙ୍କୁ ବିବାହ କରିଥିଲେ ।
ମେ ୧୨ ତାରିଖରେ ତାଙ୍କ ମୃତ୍ୟୁ ପରେ ତାଙ୍କ ଶାଶୂଘର ଲୋକ ତାଙ୍କୁ ଯୌତୁକ ପାଇଁ ହଇରାଣ କରୁଥିଲେ ବୋଲି ତାଙ୍କ ପରିବାର ଅଭିଯୋଗ କରିଥିଲେ ।