ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ
କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି ।
ନୂଆ ନିଯୁକ୍ତି ସମ୍ପର୍କରେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସୋସିଆଲ୍ ମିଡିଆ ‘ଏକ୍ସ’ ମାଧ୍ୟମରେ ଘୋଷଣା କରିଛନ୍ତି ।
ନିଯୁକ୍ତି ପାଇଥିବା ବିଚାରପତିମାନେ ହେଲେ ଜଷ୍ଟିସ ଶୀଲ ନାଗୁ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶ୍ରୀ ଚନ୍ଦ୍ରଶେଖର ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜିବ ସଚ୍ଚଦେବା ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଅରୁଣ ପଲ୍ଲୀ ଜାମ୍ମୁ-କଶ୍ମୀର ଏବଂ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ବରିଷ୍ଠ ଆଇନଜୀବୀ ଭେଙ୍କିଟା ସୁବ୍ରମଣି ମୋହନା । ଗତ ମେ ୨୭ରେ ସୁପ୍ରିମ କୋର୍ଟଙ୍କ କଲେଜିୟମ ଏହି ନୂଆ ବିଚାରପତି ନିଯୁକ୍ତି ନିମନ୍ତେ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ ।
ସରକାର ସୁପାରିସକୁ ଅନୁମୋଦନ କରିବା ସହ ନିଯୁକ୍ତି ନିମନ୍ତେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ । ନିଯୁକ୍ତି ପାଇଥିବା ନୂଆ ବିଚାରପତିମାନଙ୍କୁ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଶପଥ ପାଠ କରାଇବେ । ଏହି ନୂଆ ବିଚାରପତିଙ୍କ ନିଯୁକ୍ତି ସହିତ ସୁପ୍ରିମକୋର୍ଟର ମୋଟ ବିଚାରପତିଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି ।
ନିକଟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟାକୁ ୩୮କୁ ବୃଦ୍ଧି କରିଥିଲେ । ଅନୁମୋଦିତ ବିଚାରପତି ପଦ ମଧ୍ୟରୁ ଏବେ ଗୋଟିଏ ଖାଲି ରହିଥିବା ଜଣାପଡ଼ିଛି ।