ରାଜସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଜଳିଗଲା ବିବାହ ଯାତ୍ରୀଙ୍କ ଗାଡ଼ି, ୩ ମୃତ
ରାଜସ୍ତାନର ଚୁରୁ ଜିଲାରେ ଗୁରୁବାର ବିଳମ୍ବିତ ରାତ୍ରିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ବିବାହର ଖୁସି ଶୋକରେ ପରିଣତ ହୋଇଛି ।
ଏକ ବୋଲେରୋ ଗାଡ଼ି ଓ ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଗାଡ଼ିରେ ନିଆଁ ଲାଗି ୩ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ପୀଡ଼ିତାମାନେ ଚୁରୁରୁ ପିଲାନି ଅଂଚଳକୁ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ପୁଲିସ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରାଯାଇ ଜୟପୁରର ଏସଏମଏସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ସେମାନଙ୍କ ଅବସ୍ଥା ଏବେ ମଧ୍ୟ ସଂକଟାପନ୍ନ ରହିଛି । ଅତ୍ୟଧିକ ବେଗ କିମ୍ବା ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି ।
ବର୍ତମାନ ପୁଲିସ ମୃତକଙ୍କ ପରିଚୟ ସ୍ପଷ୍ଟ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।