ସିଇସି ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ଉଦ୍ୟମ : ୭୩ ସାଂସଦଙ୍କଦ୍ୱାରା ସ୍ୱାକ୍ଷରିତ ନୂଆ ପ୍ରସ୍ତାବ ଦାଖଲ କଲେ ବିରୋଧୀ
ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ପୁଣି ଥରେ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ରାଜ୍ୟସଭାରେ ଏକ ସଦ୍ୟ ନୋଟିସ ଦାଖଲ କରିଛନ୍ତି ।
ଏହି ନୋଟିସରେ ୭୩ ସାଂସଦଙ୍କ ଦସ୍ତଖତ ରହିଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଦୁର୍ବ୍ୟବହାର ନେଇ ସିଇସିଙ୍କ ବିରୋଧରେ ୯ଟି ସ୍ୱତନ୍ତ୍ର ଅଭେିଯାଗ ରହିଛି ।
ଏହା ସତ୍ୱେ ସେ ସିଇସି ପଦରେ ରହିବା ସମ୍ବିଧାନ ପ୍ରତି ଏକ ଅପମାନ ।
ରମେଶ କହିଛନ୍ତି ଯେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ନିର୍ଦେଶ ପାଳନ କରିବା ପାଇଁ ଅଫିସରେ ରହିବା ସମ୍ପୂର୍ଣ୍ଣ ଭାବେ ଅପମାନ । ପୂର୍ବରୁ ଟିଏମସି ସାଂସଦ ଏବଂ ମୁଖପାତ୍ର ଡେରେକ ଓବ୍ରାଏନ ଗତ ସୋମବାର କହିଥିଲେ ଯେ ବିରୋଧୀ ଦଳଗୁଡ଼ିକ ସିଇସିଙ୍କ ବିରୋଧରେ ଅତିରିକ୍ତ ଅଭିଯୋଗ ସହ ପୁଣି ଏକ ସଦ୍ୟ ମହାଭିଯୋଗ ପ୍ରସ୍ତାବ ଆଣିବେ ।
ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ୧୯ ରାଜନୈତିକ ଦଳ ଏବଂ ପ୍ରାୟ ୩୦୦ ସାଂସଦ ସିଇସିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଥିଲେ ।
ଚଳିତ ମାସ ଆରମ୍ଭରେ ସିଇସି କୁମାରଙ୍କୁ ହଟାଇବା ପାଇଁ ସଂସଦର ଉଭୟ ଗୃହରେ ଦାଖଲ କରାଯାଇଥିବା ପ୍ରସ୍ତାବ ଉଭୟ ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ସିସି ରାଧାକ୍ରିଷ୍ଣନ ପ୍ରତ୍ୟାଖ୍ୟାନ କରିଥିଲେ । କୁମାର ପକ୍ଷପାତ ଆଚରଣ କରୁଛନ୍ତି ବୋଲି ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଥିଲେ ।
ଆଜି ଦାଖଲ ହୋଇଥିବା ପ୍ରସ୍ତାବରେ ଟିଏମସି, ଏସପି, ଡିଏମକେ, ବାମଦଳ, ଶିବସେନା (ୟୁବିଟି), ଏନସିପି (ଏସପି), ଆରଜେଡି, ଆଇୟୁଏମଏଲ ଏବଂ ଅନ୍ୟ କେତେକ ଦଳ ସ୍ୱାକ୍ଷର କରିଛନ୍ତି ।