ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା
ସମ୍ବଲପୁର ଜିଲା ନାକଟିଦେଉଳ ବନାଂଚଳ ବାଟଗାଁ ଫରେଷ୍ଟ ସେକ୍ସନ ଚଡ଼ଚଡ଼ି ବିଟର ଚଡ଼ଚଡ଼ି ଗାଁରେ ଆଜି ସକାଳେ ଏକ ଦନ୍ତା ହାତୀ ଆକ୍ରମଣ କରିବା ହେତୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି ।
ମୃତକ ଚଡ଼ଚଡ଼ି ଗାଁର ଉପାସି ବେହେରା (୫୯) ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ ଆଜି ସକାଳୁ ଉପାସି ଘର ପଛପାଖରେ ଥିବା ନିଜ କାଜୁ ବଗିଚା ରାସ୍ତା ଦେଇ କେନ୍ଦୁ ପତ୍ର ଦୋଳିବାକୁ ଯାଉଥିଲେ । ଏତିକିବେଳେ ଏକ ଦନ୍ତା ହାତୀ ତାଙ୍କୁ ଦଳି ଦେଇଥିବା ଜଣାପଡ଼ିଛି ।
ଫଳରେ ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଚାପା ଉତେଜନା ସୃଷ୍ଟି ହୋଇଛି ।
ଖବର ପାଇ ନାକଟିତେଉଳ ପୁଲିସ ଏବଂ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି ।