ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସଓପି
ଜନଗଣନାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସଓପି ।
ଏ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ୱ ଓ ଜନଗଣନା ଅଧିକାରୀଙ୍କ ସହ ଏକ ବୈଠକ ଡାକିଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ ଘରକୁ ଘର ଯାଇ ଜନଗଣନା କରିବା ଏକ ଚ୍ୟାଲେଞ୍ଜ । ଦିନକୁ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଏକ ବଡ଼ ସମସ୍ୟା ପାଲଟିଛି । ଏହାରି ମଧ୍ୟରେ କିଛି କର୍ମଚାରୀ ଅସୁସ୍ଥ ହେବାର ଖବର ଆସିଛି ।
ଏପରିକି ଜଣନଗଣନା ସମୟରେ କିଛି ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଥିବାର ଖବର ମଧ୍ୟ ଆସିଛି । ସରକାରୀ କର୍ମଚାରୀ ଓ ଲୋକଙ୍କ ସୁରକ୍ଷା ବଡ଼ ଦାୟିତ୍ୱ ପାଲଟିଛି । ଯେଉଁଠି ଆକ୍ରମଣ ହୋଇଛି, ସେଠାରେ ଗୃହ ସଚିବ ଓ ଡିଜିଙ୍କ ସହ ଆଲୋଚନା ହୋଇଛି ।
ଅନ୍ୟପଟେ ଜନଗଣନାରେ ନିୟୋଜିତ କର୍ମଚାରୀଙ୍କୁ ସୁରକ୍ଷା ପାଇଁ ସରକାରଙ୍କ ନିର୍ଦେଶ ରହିଛି । ଜିଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଚିଠି କରିଛି । ଏପ୍ରିଲ ୧୬ରୁ ଆରମ୍ଭ ହୋଇଥିବା ଜନଗଣନା ମେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।
ସୋନପୁର ଜିଲାରେ ଜଣେ କର୍ମଚାରୀଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଥିଲା । ଗଣନାକାରୀ ନିଖୋଜ ହେବା ସହ ହିଟ ଷ୍ଟ୍ରୋକ ଓ ଦୁର୍ଘଟଣାର ଖବର ଆସିଥିଲା । କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଅରବିନ୍ଦ ପାଢ଼ୀ ନିର୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କାମାକ୍ଷାନଗର ମହିମାନଗରରେ ଜନଗଣନା କରିବାକୁ ଯାଇଥିବା ଜଣେ କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି ।
ଏଥିରେ ୪ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ୨ଜଣ ମହିଳା କର୍ମଚାରୀ ଅଛନ୍ତି । ସେମାନଙ୍କ ମୁହଁରେ ଗଭୀର ଆଘାତ ଲାଗିଛି ।
ଏହା ସହ ପଥର ଧରି ମାରିବାକୁ ଗୋଡାଇଥିବା ଅଭିଯୋଗ ହୋଇଛି । ଖବର ପାଇ କାମାକ୍ଷାନଗର ଉପଜିଲାପାଳ, ତହସିଲଦାର, ଏସଡିପିଓ ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚିଥିଲେ । ପୁଲିସ ଆକ୍ରମଣକାରୀଙ୍କୁ ଅଟକ ରଖି ତଦନ୍ତ କରୁଛନ୍ତି ।