ଭୁଶୁଡ଼ି ପଡ଼ିଲା କାନ୍ଥ, ଶିଶୁକନ୍ୟା ମୃତ
ରବିବାର ସନ୍ଧ୍ୟାରେ ତିହିଡ଼ି ବ୍ଲକ ପୀରହାଟ ଥାନା ସାହାପୁର ପଂଚାୟତ ଅଧିନ କାଶୀପୁର ଗ୍ରାମରେ ନାରାୟଣ ବେହେରା ନାମକ ଜଣେ ବ୍ୟକ୍ତିଙ୍କ କୋଠାଘରର ଏକାଂଶ କାନ୍ଥ ଭୁଶୁଡ଼ି ପଡ଼ିବାଦ୍ୱାରା ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଥିବାବେଳେ ତାଙ୍କର ମାଆ ଓ ବଡ଼ ଭଉଣୀ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି ।
ଆହୁରି ଜଣାପଡ଼ିଛି ଯେ ତିହିଡ଼ି ଥାନା ଅଚକ ପଂଚାୟତ ଅଧିନ ନନ୍ଦପୁର ଗ୍ରାମର ପ୍ରଫୁଲ୍ଲ ବେହେରାଙ୍କ ସ୍ତ୍ରୀ ଭାରତୀ (୩୦) ବାପଘର କାଶୀପୁର ଗ୍ରାମକୁ ଯାଇଥିଲେ ।
ଭାରତୀରଙ୍କ ଦୁଇ ଝିଅ ପୂଜାରାଣୀ (୪) ଓ ଲିଜା (୨) ମାମୁଘର ସାମ୍ନାରେ ଖେଳୁଥିଲେ । ତାଙ୍କ ମାଆ ଭାରତୀ ସେଠାରେ ଛିଡ଼ା ହୋଇଥିଲେ । ଏହି ସମୟରେ ନାରାୟଣଙ୍କ ଘରର ଛାତ ଉପରେ ନିର୍ମିତ କାନ୍ଥ ଓ ଘରର କାର୍ନିସ ଭାଙ୍ଗି ତଳକୁ ଖସିୁ ମାଆ ଓ ଦୁଇ ଝିଅଙ୍କ ଉପରେ ପଡ଼ିଥିଲା ।
ଫଳରେ ସାନ ଝିଅ ଲିଜାର ମୃତ୍ୟୁ ଘଟଣାସ୍ଥଳରେ ଘଟିଥିବାବେଳେ ଭାରତୀ ଓ ତାଙ୍କ ବଡ଼ ଝିଅ ପୂଜା ଗୁରୁତର ଭାବେ ଆହାତ ହୋଇଛନ୍ତି ।
ଦୁହିଁଙ୍କୁ ପ୍ରଥମେ ତିହିଡ଼ି ଓ ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ଜଣାଯାଇଛି ।