ବାଲିଅନ୍ତା ପରେ ଓଡ଼ଗାଁରେ ବର୍ବରତା
ଦି’ ହାତ କାଟିଦେଲେ ପଥର ମାଫିଆ
ଏବେ ରାଜ୍ୟରେ ଅପରାଧ ଓ ହିଂସାକାଣ୍ଡ ଶିଖରକୁ ଛୁଇଁସାରିଛି ।
କିଛି ଦିନ ତଳେ ବାଲିଅନ୍ତାରେ କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମବ ଲିଚିଂରେ ହତ୍ୟା ଓ ବାଲିପାଟଣାରେ ସମବେତ ଆକ୍ରମଣରେ ଜଣେ ଯୁବକଙ୍କୁ ହତ୍ୟାଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ସୋମବାର ନୟାଗଡ଼ ଓଡ଼ଗାଁରେ ଆଉ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି ।
ଜଣେ ଯୁବକଙ୍କ ଦୁଇ ହାତ ହାଣି ଅତି ନୃଶଂସ ଭାବେ ଖଣି ମାଫିଆ ହତ୍ୟା କରିଛନ୍ତି ବୋଲି ନୟାଗଡ଼ ଥାନାରେ ଅଭିଯୋଗ ହୋଇଛି ।
ବେଆଇନ ଖଣି ଖନନ ନେଇ ପୁଲିସକୁ ଜଣାଇବାରୁ ଓଡ଼ଗାଁ କଦଳୀବନ୍ଧରେ ହାତଗୋଡ଼ ବାନ୍ଧି ଜଣେ ଯୁବକଙ୍କୁ ଅତି ବୀଭତ୍ସ ଭାବେ ମାଙ୍କଡ଼ା ପଥର ମାଫିଆମାନେ ହତ୍ୟା କରିଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
ସୂଚନାଥାଉ କି, ଏଠାରେ ଥିବା ଏକ ଚୋରା ମାଙ୍କଡ଼ା ପଥର ଖଣିକୁ ସ୍ଥାନୀୟ ଲୋକେ ବିରୋଧ କରିଆସୁଥିଲେ ।
ହତ୍ୟାକାରୀଙ୍କ ଗିରଫ ଦାବିରେ ଗ୍ରାମବାସୀ ରାସ୍ତାରୋକ କରିଥିବାରୁ ଶତାଧିକ ଯାନବାହାନ ରାଜରାସ୍ତାରେ ଅଟକି ରହିଛି ।
ତେବେ ପୁଲିସ ଏହାର ତଦନ୍ତ ଜାରି ରଖିଛି ଏବଂ ଖୁବ ଶୀଘ୍ର ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି ଶରଣକୂଳ ଏସଡିପିଓ ଦିପ୍ତୀ ରଞ୍ଜନ ପ୍ରଧାନ କହିଛନ୍ତି ।