ଏକଜିଟ ପୋଲରେ ବିଜେପିର ଷଡ଼ଯନ୍ତ୍ର ଅଭିଯୋଗ : ପ୍ରାର୍ଥୀଙ୍କୁ ଷ୍ଟ୍ରଂ ରୁମ ପହରା ଦେବାକୁ ମମତାଙ୍କ ନିର୍ଦେଶ
ପଶ୍ଚିମବଙ୍ଗରେ ଦ୍ୱିତୀୟ ଦଫା ମତଦାନ ପରେ ବୁଧବାର ରାତ୍ରିରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଏକଜିଟ ପୋଲ ବା ବୁଥ ଫେରନ୍ତା ସମୀକ୍ଷା ପ୍ରଦାନ କରାଯାଇଥିଲା ।
ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଦର୍ଶାଯାଇଥିବା ଏକଜିଟ ପୋଲ ନେପଥ୍ୟରେ ବିଜେପିର ଷଡ଼ଯନ୍ତ୍ର ଲୁଚି ରହିଛି ବୋଲି ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ତୃଣମୂଳ କଂଗ୍ରେସ କର୍ମୀଙ୍କ ମନୋବଳ ଯେପରି ଭାଙ୍ଗିଯାଏ ସେଥିପାଇଁ ଏହା ବିଜେପିର ଏକ କୌଶଳ ।
ତେବେ ତୃଣମୂଳ କଂଗ୍ରେସ କର୍ମୀଙ୍କୁ ଆହୁରି ସତର୍କ ଓ ସଜାଗ ରହିବାକୁ ହେବ ଏବଂ ପ୍ରତ୍ୟେକ ପ୍ରାର୍ଥୀ ଯେପରି ଷ୍ଟଂରୁମ ନିକଟରେ ପହରା ଦେବେ ସେଥିପାଇଁ ନିର୍ଦେଶ ଦେଇଛନ୍ତି ।
ସାମାଜିକ ଗଣମାଧ୍ୟମର ଏକ ବାର୍ତାରେ ସୁଶ୍ରୀ ବାନାର୍ଜୀ କହିଛନ୍ତି ଯେ ଯେହେତୁ ସାଧାରଣ ମଣିଷଙ୍କ ଅଧିକାର ଛଡ଼ାଇ ନେଇପାରି ନାହିଁ, ତେଣୁ ବିଜେପି ଶେଷ ଖେଳଟି ଖେଳିଛି । କାରଣ ଏପରି କଲେ ତୃଣମୂଳ କଂଗ୍ରେସ କର୍ମୀଙ୍କ ମନୋବଳ ଭାଙ୍ଗିଯିବା ସହ ସେୟାର ବଜାରରେ ଭିନ୍ନ ପ୍ରତିକ୍ରିୟା ସୃଷ୍ଟି ହେବ ।
ମୂଳତଃ ବିଜେପିର ଇସାରାରେ ଏଭଳି କରାଯାଉଛି ବୋଲି ସୁଶ୍ରୀ ବାନାର୍ଜୀ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଗଣନା କେନ୍ଦ୍ରରେ ଷଡ଼ଯନ୍ତ୍ରର ଆଂଶଙ୍କା ରହିଛି । ତେଣୁ ଷ୍ଟ୍ରଂରୁମ ନିକଟରେ ଯେପରି ପ୍ରତ୍ୟେକ ନେତା ଓ ପ୍ରାର୍ଥୀ ଏବଂ କର୍ମୀ ସତର୍କ ରହି ପହରା ଦିଅନ୍ତି ସେଥିପ୍ରତି ଗୁରୁତ୍ୱ ଦେବାକୁ ହେବ ।
ସେ କହିଛନ୍ତି ଯେ ‘ମୁଁ ଯଦି ପହରା ଦେଇପାରେ, ତେବେ ପ୍ରତ୍ୟେକ ପ୍ରାର୍ଥୀ ଓ ନେତା ଦେବା ଉଚିତ୍ ।’