ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ :୨୯୪ ଆସନ ପାଇଁ ୭୭ ଗଣନାକେନ୍ଦ୍ର
ପଶ୍ଚିମବଙ୍ଗରେ ଦୁଇ ପର୍ଯ୍ୟାୟ ମତଦାନ ସରିଛି ।
ଆଗାମୀ ୪ ତାରିଖରେ ଗଣନା । ତେବେ ଦୁଇ ସପ୍ତାହ ପୂର୍ବେ ଗଣନା କେନ୍ଦ୍ର ୧୦୮ରୁ ୮୭କୁ ହ୍ରାସ କରାଯାଇଥିଲା ।
ତେବେ ଆଜି ଏହି ସଂଖ୍ୟା ଆହୁରି ହ୍ରାସ କରାଯାଇ ୭୭ଟି ବୋଲି କୁହାଯାଇଛି ।
ମୋଟ ଉପରେ ୨୯୪ଟି ଆସନ ପାଇଁ ୭୭ଟି ଗଣନା କେନ୍ଦ୍ର ରହିବ । ତେବେ କେଉଁ ଜିଲାରେ କେତୋଟି ଗଣନାକେନ୍ଦ୍ର ରହିବ ତାହା ଠିକଣା ସହ ନିର୍ବାଚନ କମିସନ ପକ୍ଷରୁ ପ୍ରକାଶ କରାଯାଇଛି । ଭୋଟ ଗଣନା ଆଉ ମାତ୍ର ତିନିଦିନ ଥିବାବେଳେ ଗଣନା କେନ୍ଦ୍ର ୭୭କୁ ହ୍ରାସ କରିବା ନେଇ ରାଜ୍ୟ ଶାସକ ଦଳ ତୃଣମୂଳ କଂଗ୍ରେସ ପ୍ରଶ୍ନ ଉଠାଇଛି ।
ଜଣାପଡ଼ିଛି ଯେ ପ୍ରତିଟି ଗଣନା କେନ୍ଦ୍ରରେ ସିସି କ୍ୟାମେରା ମାଧ୍ୟମରେ ନଜର ରଖାଯିବ । କଲକାତାର ୧୧ଟି ବିଧାନସଭା କ୍ଷେତ୍ର ପାଇଁ ଭୋଟ ଗଣନାକେନ୍ଦ୍ର ୫ଟି ରହିଛି । ରାଜ୍ୟର ସବୁଠାରୁ ଅଧିକ ବିଧାନସଭା କ୍ଷେତ୍ର ଉତର ୨୪ପ୍ରଗଣାରେ ରହିଥିବାରୁ ସେଠାରେ ୩୩ଟି ଆସନ ପାଇଁ ଆଠଟି ଭୋଟ ଗଣନା କେନ୍ଦ୍ର କାର୍ଯ୍ୟ କରିବ ।
ସେହିପରି ଦକ୍ଷିଣ ୨୪ପ୍ରଗଣାର ୩୧ଟି ଆସନ ପାଇଁ ୬ଟି କେନ୍ଦ୍ର, ଆଲିପୁରଦୁଆରରେ ୧ଟି, କୁଚବିହାରରେ ୫ଟି, ଉତର ଦିନାଜପୁରରେ ୨ଟି, ଦକ୍ଷିଣ ଦିନାଜପୁରରେ ୨ଟି, ଦାର୍ଜିଲିଂରେ ୩ଟି, ଜଳପାଇଗୁଡ଼ିରେ ୨ଟି, ହୁଗୁଳିରେ ୫ଟି, ହାଓଡ଼ାରେ ୪ଟି, ଝାଡ଼ଗ୍ରାମରେ ୧ଟି, କଲିମ୍ପଂରେ ୧ଟି, କଲକାତା ଉତରରେ ୧ଟି, କଲକାତା ଦକ୍ଷିଣରେ ୪ଟି, ମାଲଦହରେ ୨ଟି, ମୁର୍ଶିଦାବାଦରେ ୫ଟି, ନଦିଆରେ ୪ଟି, ଉତର ୨୪ପ୍ରଗଣାରେ ୭ଟି, ପୂର୍ବ ବର୍ଦ୍ଧମାନରେ ୪ଟି, ପଶ୍ଚିମ ବର୍ଦ୍ଧମାନରେ ୨ଟି, ପଶ୍ଚିମ ମେଦିନୀପୁରରେ ୩ଟି, ପୂର୍ବ ମେଦିନୀପୁରରେ ୪ଟି, ପୁରୁଲିଆରେ ୩ଟି, ବାଙ୍କୁଡ଼ାରେ ୩ଟି, ବୀରଭୂମରେ ୩ଟି, ଦକ୍ଷିଣ ୨୪ପ୍ରଗଣାରେ ୬ଟି ଗଣନାକେନ୍ଦ୍ର କାର୍ଯ୍ୟ କରିବ ।