ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସଓପି
ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ହେବନି ଜନଗଣନା
୨୦୨୭ ସାଧାରଣ ନିର୍ବାଚନ ପାଇଁ ଏବେ ସରକାରଙ୍କ ନିର୍ଦେଶକ୍ରମେ ଜନଗଣନା କରାଯାଉଛି । ତେବେ ଘରକୁ ଘର ଯାଇ ଜନଗଣନା କରିବା ଏକ ଆହ୍ୱାନ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । କାରଣ ବର୍ତମାନ ସମଗ୍ର ରାଜ୍ୟରେ ଭୀଷଣ ଖରା, ଗରମ ଓ ଗୁଳଗୁଳି ଅନୁଭୂତ ହେଉଛି ।
ଏଥିରେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବାବେଳେ ଅନେକ ସମୟରେ ଜନଗଣନା କମଚାରୀମାନେ ଅସୁସ୍ଥ ହେଉଛନ୍ତି । ଏଣୁ ଜନଗଣନାରେ ନିୟୋଜିତ ସରକାରୀ କମଚାରୀଙ୍କ ସୁରକ୍ଷା ପାଇଁ ଏସଓପି ଆସିବ ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।
ଏଥିରେ ଓଡ଼ିଶାର ୩୦ଟି ଜିଲାର ଜିଲାପାଳମାନେ ପ୍ରିନ୍ସପାଲ ସେନସସ କମିଶନର ଭାବେ ଦାୟିତ୍ୱ ତୁଲାଉଛି । ଏଥିରେ ୩୦ଟି ଜିଲାର ଏଡିଏ, ବିଡିଓ ଏଭଳି ପ୍ରାୟ ୧ ଲକ୍ଷ ଲୋକେ ଏହି କାମରେ ଲାଗିଛନ୍ତି ।
ଏହି କାମରେ ସୋନପୁରରେ ଜଣେ ଜନଗଣନା ଅଧିକାରୀଙ୍କ ହିଟୱେଭରେ ଅଂଶୁଘାତ ଯୋଗୁଁ ମୃତ୍ୟୁ ଘଟିଛି । ତେବେ ତାଙ୍କ ପରିବାର ବ୍ୟବଚ୍ଛେଦ ନ କରି ମୃତକଙ୍କ ଶବସକ୍ରାର କରିଦେଇଥିବାରୁ ତାଙ୍କୁ ସହାୟତା ଦେବାରେ ଅସୁବିଧା ଦେଖାଯାଇପାରେ ବୋଲି ଶ୍ରୀ ପୂଜାରୀ କହିଛନ୍ତି ।
ସେହିପରି ପ୍ରାୟତଃ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବହୁତ ଟାଣ ଖରା ଓ ଗରମ ଅନୁଭୂତ ହେଉଥିବା ଯୋଗୁଁ ଏହିସମୟରେ ଜନଗଣନା କାମ ବନ୍ଦ ରହିବ ବୋଲି ଶ୍ରୀ ପୂଜାରୀ କହିବା ସହ ଯେଉଁ ଶିକ୍ଷକମାନେ ଏହି କାମରେ ନିୟୋଜିତ ରହିଛନ୍ତି ସେମାନଙ୍କ ଯୋଗୁଁ ଯେଭଳି ଶିକ୍ଷାଦାନ ଓ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ବାଧା ନ ଆସୁ ସେଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ପୂଜାରୀ କହିଛନ୍ତି ।
ଏତଦ୍ବ୍ୟତୀତ ଜନଗଣନା କାର୍ଯ୍ୟକ୍ରମରେ ସାମିଲ ଥିବା କର୍ମଚାରୀଙ୍କ ଉପରେ କୌଣସି ପ୍ରକାରର ଆକ୍ରମଣ ବା ହିଂସାକୁ କଦାପି ବରଦାସ୍ତ କରାଯିବନି ।
ଯଦି ଏଭଳି କୌଣସି ଘଟଣା ସାମ୍ନାକୁ ଆସେ ତା’ହେଲେ ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଚେତାଇ ଦେଇଛନ୍ତି ।