ଆପାର୍ଟମେଂଟ କ୍ରୟ : ଷ୍ଟାମ୍ପ ଦେୟ ୨% ବୃଦ୍ଧି
ଦେଶ ତଥା ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ପାଉଛି, ତାହା ସାଙ୍ଗକୁ ସାଧାରଣଙ୍କ ବ୍ୟବହାର ନିମନ୍ତେ ଆପାର୍ଟମେଂଟ ନିର୍ମାଣ ମଧ୍ୟ ବଢ଼ି ଚାଲିଛି ।
ତେବେ ରାଜ୍ୟରେ ଆପାର୍ଟମେଂଟ କ୍ରୟ ବେଳେ ପୂର୍ବରୁ ମୂଲ୍ୟ ଅନୁଯାୟୀ ୩ଟି ସ୍ଲାବ ଯଥା ୩%, ୪%, ୫% ଷ୍ଟାମ୍ପ ଦେୟ ଆଦାୟ ହେଉଥିଲା, ଏଣିକି ସମସ୍ତଙ୍କଠାରୁ ୫% ଷ୍ଟାମ୍ପ ଦେୟ ଆଦାୟ କରାଯିବ ।
ଏହାବାଦ ରେଜିଷ୍ଟ୍ରେସନ ଫି ବାବଦକୁ ଯେପରି ଯେଉଁ ବର୍ଗଠାରୁ ୧% ବା ୨% ଆଦାୟ ହେଉଥିଲା, ଏବେ ସେମିତି ହେବ ।
ବୁଧବାର ରାଜ୍ୟ କ୍ୟାବିନେଟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏହି ପ୍ରସ୍ତାବ ଉପରେ ମୋହର ମାରିଥିବା ଜଣାପଡ଼ିଛି ।
ଏହି ନିଷ୍ପତିଦ୍ୱାରା ଏବେ ଆପାର୍ଟମେଂଟ କ୍ରୟ କ୍ଷେତ୍ରରେ ମହଙ୍ଗା ହେବା ଅନୁମାନ କରାଯାଉଛି । ପୂର୍ବରୁ ରାଜ୍ୟରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆପାର୍ଟମେଂଟ କିଣିଲେ ଷ୍ଟାମ୍ପ ଦେୟ ବାବଦକୁ ୩% ଦେବାକୁ ପଡ଼ୁଥିଲା ।
୫ରୁ ୧୫ଲକ୍ଷ ଭିତରେ ଆପାର୍ଟମେଂଟ ମୂଲ୍ୟ ଥିଲେ ଷ୍ଟାମ୍ପ ଦେୟ ୪% ଏବଂ ୧୫ଲକ୍ଷରୁ ଅଧିକ ଥିଲେ ୫% ଷ୍ଟାମ୍ପ ଦେୟ ଦେବାକୁ ପଡ଼ୁଥିଲା । ଏବେ ଯେତେ ମୂଲ୍ୟର ଆପାର୍ଟମେଂଟ କିଣିଲେ ବି ୫% ଷ୍ଟାମ୍ପ ଦେୟ ଏବଂ ଏହା ବାଦ ରେଜିଷ୍ଟ୍ରେସନ ଫି ଦେବାକୁ ହେବ ।
ରାଜସ୍ୱ ବିଭାଗର ଯୁକ୍ତି ଯେ ରାଜ୍ୟରେ ଆଉ କୌଣସି ସ୍ଥାନରେ ୧୫ଲକ୍ଷରୁ କମ୍ ମୂଲ୍ୟରେ ଫ୍ଲାଟ ବିକ୍ରି ହେଉନାହିଁ । ତେଣୁ ବହୁ ପୂର୍ବରୁ ଥିବା ନିୟମକୁ ହଟାଇ ଦିଆଗଲା ।