ରାଜରାସ୍ତାକୁ ଓହ୍ଲାଇଲେ ଦେବୀଙ୍କ ସମର୍ଥକ
ପାଣ୍ଡିଆନଙ୍କ ପୋଷ୍ଟରରେ କାଳି ପୋତି କୁଶପୁତଳିକା ଦାହ
ଗତ ୧୬ ତାରିଖରେ ରାଜ୍ୟ ସଭା ନିର୍ବାଚନବେଳେ ଦଳୀୟ ହ୍ୱିପ ସତ୍ୱେ କ୍ରସ ଭୋଟିଂ କରିଥିବା ୬ ଜଣ ବିଧାୟକ ଯଥା ଦେବୀ ରଂଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ଚକ୍ରମଣି କହଁର, ସୁବାସିନି ଜେନା, ନବକିଶୋର ମଲିକ ଓ ରମାକାନ୍ତ ଭୋଇଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପିଏସି କମିଟିର ସୁପାରିଶ କ୍ରମେ ନିଲମ୍ବନ କରିଛନ୍ତି । ଏହାକୁ ନେଇ ବିଜେଡି ବିରୋଧରେ ରେ କୁହୁଳିଛି ଅସନ୍ତୋଷର ନିଅାଁ ।
ଜଣକ ପରେ ଜଣେ ମୁହଁ ଖୋଲୁଛନ୍ତି ନିଲମ୍ବିତ ବିଧାୟକ ।
ରବିବାର ଦଳରୁ ବହିଷ୍କାର ହୋଇଥିବା ପିତା ପ୍ରଭାତଙ୍କ ସମର୍ଥନରେ ପୁତ୍ର ତଥା ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ବିଜେଡି ସୁପ୍ରିମୋ ନବୀନଙ୍କୁ ଟାର୍ଗେଟ କରିଥିବାବେଳେ କଟକରେ ନିଲମ୍ବିତ ହୋଇଥିବା ବାଙ୍କୀର ଯୁବ ବିଧାୟକ ଦେବୀଙ୍କ ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ସେମାନେ ଏଥିପାଇଁ ରବିବାର କଟକ ବିଜୁ ପଟ୍ଟନାୟକ ଛକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଟୂ ସମାଲୋଚନା କରିବା ସହ ଏହା ପଛରେ ଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ଏକଦା ନବୀନଙ୍କ ଅତି ନିକଟତମ ବୋଲାଉଥିବା ଭି.କେ.ପାଣ୍ଡିଆନଙ୍କ ପୋଷ୍ଟରରେ କାଳି ବୋଳି ନିଜର ବିରୋଧାଭାସ ଜାରି କରିଛନ୍ତି ।
ସେମାନେ ପାଣ୍ଡିଆନ ଗୋ ବ୍ୟାକ ବୋଲି କହିବା ସହ ତାଙ୍କ କୁଶପୁତଳିକା ଦାହ କରିଥିଲେ ।
ଓଡ଼ିଶା ବାହାରେ ବିଜୁ-ନବୀନ ଟ୍ରଷ୍ଟ କରି ବିଜେଡିର ୪ ହଜାର କୋଟି ଟଂକା ହଡ଼ପ କରିବାକୁ ପାଣ୍ଡିଆନଙ୍କ ଚକ୍ରାନ୍ତ ବୋଲି ଛାତ୍ର ବିଜେଡିକର୍ମୀମାନେ କହିଛନ୍ତି ।
ଏଥିସହ ଯିଏ ପାଣ୍ଡିଆନଙ୍କ କୁଶପୁତଳିକା ଦାହ କରିବ ତାକୁ ଯଦି ଦଳରୁ ବହିଷ୍କାର କରାଯାଇ ତା’ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜେଡି କୁହେ ତାକୁ ମଧ୍ୟ ସେମାନେ ସାମ୍ନା କରିବାକୁ ପ୍ରସ୍ତୁତ ରହିଥିବା କହିନ୍ତି ।