ମାଙ୍ଗାଲୋରରେ ପହଂଚିଲା ରୁଷୀୟ ତୈଲ ଟ୍ୟାଙ୍କର
ପହଂଚିଲା ୭ ଲକ୍ଷ ୭୦ ହଜାର ବ୍ୟାରେଲ ତୈଳ
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ କ୍ରମେ ଅଧିକରୁ ଅଧିକ ଭୟଙ୍କର ହେବାରେ ଲାଗିଛି । ଏହି ଯୁଦ୍ଧ ଗତ ଫେବୃଆରୀ ୨୮ ତାରିଖରେ ଆରମ୍ଭ ହୋଇଥିବାବେଳେ ୩ ସପ୍ତାହରେ ପହଂଚିଛି ।
ଏହାଯୋଗୁଁ ସମଗ୍ର ବିଶ୍ୱରେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଏଲପିଜି ଗ୍ୟାସର ସଂକଟ ଦେଖାଦେଇଛି । ତେବେ ଇତିମଧ୍ୟରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଉଦ୍ୟମ ଯୋଗୁଁ ଷ୍ଟ୍ରେଟ ଅଫ୍ ହର୍ମୁଜରୁ ୨ଟି ଏଲପିଜି ଜାହାଜ ଶୈବାଳିକ ଓ ନନ୍ଦାଦେବୀ ଭାରତରେ ପହଂଚିସାରିଛି ।
ଗତ ଶନିବାର ରାତିରେ ଆଉ ଏକ ରୁଷୀୟ ତୈଳ ଟ୍ୟାଙ୍କର ଆକ୍ୱା ଟାଇଟନ ୭ ଲକ୍ଷ ୭୦ ହଜାର ବ୍ୟାରେଲର ଅଶୋଧିତ ତୈଳ ନେଇ ମେଙ୍ଗାଲୁରରେ ଏହି ରୁଷୀୟ ତୈଳ ଟ୍ୟାଙ୍କର ପହଂଚିଛି ।
ତେବେ ଏହି ୩ଟି ଜାହାଜ ଭାରତରେ ପହଂଚିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଗୁଡ଼ିକ ପାଇଁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ରାଜ୍ୟ ଏବଂ କେନ୍ଦ୍ର ଶାସିିତ ଅଂଚଳଗୁଡ଼ିକୁ ବାଣିଜି୍ୟକ ଏଲପିଜି ଆବଂଟନରେ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।
ଏହି ଘୋଷଣା ଅନୁଯାୟୀ ଆସନ୍ତା ସୋମବାର ଠାରୁ ରାଜ୍ୟଗୁଡ଼ିକ ପାଇଁ ଏଲପିଜି କୋଟା ୩୦%ରୁ ୫୦% ବୃଦ୍ଧି କରାଯିବ ବୋଲି କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି ।
ସେହିଭଳି ପ୍ରବାସୀ ଶ୍ରମିକ ଯେଉଁମାନେ ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ କାମ ପାଇଁ ଘରଦ୍ୱାର ଛାଡ଼ି ରହୁଛନ୍ତି ସେମାନେ ୫ କି.ଗ୍ରାର ଛୋଟ ଗ୍ୟାସ ସିଲିଣ୍ଡରକୁ ରିଫିଲ କରିପାରିବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।