ବିତର୍କରେ ବିହାର ମୁଖ୍ୟମନ୍ତ୍ରୀ
ପାଟନାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନବନିଯୁକ୍ତ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ବିତର୍କ ଘେରରେ ପଡ଼ିଥିବା ପରିଲକ୍ଷିତ ହୋଇଛି ।
ଜଣାପଡ଼ିଛି ଯେ ଏନଡିଏ ସମର୍ଥିତ ଜଣେ ମୁସଲିମ ସମ୍ପ୍ରଦାୟ କର୍ମୀ ତାଙ୍କୁ ଟୋପି ପିନ୍ଧାଇବାକୁ ଚାହିଁଥିଲେ, କିନ୍ତୁ ସେ ତତକ୍ଷଣାତ ମନା କରି ଦେଇଥିଲେ । ଯାହାକୁ ନେଇ ନୂତନ ଭାବେ ବିତର୍କ ସୃଷ୍ଟି ହୋଇଛି । ସମ୍ରାଟ ଚୌଧୁରୀ ବିହାର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ।
ପଦ ଗ୍ରହଣ କରିବା ପରଠାରୁ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଆସୁଥିବା ଲୋକ ଏବଂ ଦଳୀୟ କର୍ମୀଙ୍କୁ ସେ ଭେଟୁଛନ୍ତି । ଶୁକ୍ରବାର ମୁସଲିମ ସମ୍ପ୍ରଦାୟର ଜଣେ କର୍ମୀ ତାଙ୍କୁ ଭେଟି ଅଭିନନ୍ଦନ ଜଣାଇଥିଲେ । ଉକ୍ତ କର୍ମୀଜଣକ ତାଙ୍କୁ ଟୋପି ପିନ୍ଧାଇବାକୁ ଚେଷ୍ଟା କରିବା ସମୟରେ ସେ ତାଙ୍କୁ ଅଟକାଇଥିବା ଅଭିଯୋଗ ହୋଇଛି ।
ତାଙ୍କ ହାତରୁ ଟୋପିଟିକୁ ନେଇ ସୁରକ୍ଷା କର୍ମୀଙ୍କୁ ଦେଇଥିଲେ । କର୍ମୀଜଣକ ପରେ ତାଙ୍କୁ ଏକ ଶାଲ ପ୍ରଦାନ କରିଥିଲେ । ଯାହାକୁ ଶ୍ରୀ ଚୌଧୁରୀ ହସିହସି ଗ୍ରହଣ କରି ପିନ୍ଧିଥିବା ଦେଖାଯାଇଥିଲା ।
ବିଶେଷ କରି ଟୋପି ପିନ୍ଧିବା ମନା କରିବାଦ୍ୱାରା ଏହାକୁ ନେଇ ସାଧାରଣଙ୍କ ମଧ୍ୟରେ ଚର୍ଚା ହେଉଛି ।