ନିର୍ମାଣ ହେବ ହିଟ ୱେଭ ଆଶ୍ରୟସ୍ଥଳୀ
ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯେଉଁ ଭାବେ ଜାରି ରହିଛି, ତାହାଦ୍ୱାରା ସାଧାରଣ ଯାତ୍ରୀ ହଟହଟାର ସମ୍ମୁଖୀନ ହେବା ସ୍ୱାଭାବିକ । ତେଣୁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।
ଜଣାପଡ଼ିଛି ଯେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜସ୍ୱ ବିଭାଗ ନୂଆ ଏସଓପି ପ୍ରସ୍ତୁତ କରିଛି ।
ଅଧିକ ଖରା ହେଉଥିବା ସ୍ଥାନରେ ହିଟ ୱେଭ ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ । ସକାଳ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଯାତ୍ରୀ ଓ ମାଲ ପରିବହନ ଉପରେ ତଦାରଖ ହେବ । ରାସ୍ତାରେ ଯାଉଥିବା ଗାଡ଼ି ଚାଳକଙ୍କ ପାଇଁ ଓଆରଏସ ଓ ପିଇବା ପାଣିର ବ୍ୟବସ୍ଥା କରାଯିବ ।
ସେହିପରି କିଛି ଅଘଟଣକୁ ଦୃଷ୍ଟିରେ ରଖି ମେଡ଼ିକାଲ ଏବଂ ଆମ୍ବୁଲାନ୍ସକୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି ।
୨୦ମିନିଟ ମଧ୍ୟରେ ଆମ୍ବୁଲାନ୍ସ ପହଂଚିବା ପାଇଁ ନିର୍ଦେଶ ହୋଇଛି । ଅଂଶୁଘାତ ମୃତ୍ୟୁ ପାଇଁ ରିପୋର୍ଟ ପାଇବାର ୨୪ଘଂଟାରେ କ୍ଷତିପୂରଣ ପ୍ରଦାନ କରାଯିବ । ଯେଉଁ ଗାଡ଼ିମାନଙ୍କରେ ଏସି ନଥିବ, ସେହି ଗାଡ଼ିରେ ଯାଉଥିବା ଲୋକମାନଙ୍କ ଯଦି କୌଣସି ଅସୁବିଧା ହୁଏ, ତେବେ ସେହି ଗାଡ଼ିର ମାଲିକ ହିଁ ଦାୟୀ ରହିବେ ।
ଆଜି ଜିଲାପାଳଙ୍କ ସହିତ ଭିସିରେ ବୈଠକ କରିବା ପରେ ଏହି ସୂଚନା ମନ୍ତ୍ରୀ ସୁରେଶ ପୂଜାରୀ ଦେଇଥିବା ଜଣାପଡ଼ିଛି ।