ସିବିଏସଇ ୧୦ମ ପରୀକ୍ଷା ଫଳ ପ୍ରକାଶିତ
ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ
ଏପ୍ରିଲ ୧୫ରେ ସେଂଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ (ସିବିଏସଇ)ର ୧୦ମ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ନିଜର ଫଳ ସିବିଏସଇ ୱେବସାଇଟ୍ରେ ଦେଖିପାରିବେ ।
ଏହା ବ୍ୟତୀତ ଡିଜିଲକର ଓ ଓମଙ୍ଗ ଆପରେ ମଧ୍ୟ ନିଜର ପରୀକ୍ଷା ଫଳ ଦେଖିପାରିବେ । ସୂଚନାଯୋଗ୍ୟ ଯେ ଚଳିତବର୍ଷ (୨୦୨୫-୨୬)ରେ ଫେବୃଆରୀ ୧୭ରୁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।
ଦେଶର ୮୦୭୫ଟି ପରୀକ୍ଷା କେନ୍ଦ୍ରରେ ୨୫ଲକ୍ଷ ୮ହଜାର ୩୧୯ଜଣ ଛାତ୍ରଛାତ୍ରୀ ସିବିଏସଇ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୪ଲକ୍ଷ ୮ହଜାର ୫୪୬ଜଣ ଛାତ୍ର ଓ ୧୦ଲକ୍ଷ ୯୯ହଜାର ୭୭୩ଜଣ ଛାତ୍ରୀ ଥିଲେ । ତେବେ ୨୪ଲକ୍ଷ ୭୧ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।
ପଶ୍ଚିମ ଏସିଆ ଯୁଦ୍ଧ ଯୋଗୁଁ କତାର, ୟୁଏଇ, ଓମାନ ଆଦି ମଧ୍ୟପ୍ରାଚ୍ୟ ଦେଶରେ ସିବିଏସଇ ପରୀକ୍ଷା ସ୍ଥଗିତ ରହିଥିଲା । ପ୍ରାୟ ୭ଲକ୍ଷ ଶିକ୍ଷକ ଖାତା ଦେଖା ଓ ୪୬ହଜାର ମୁଖ୍ୟ ପରୀକ୍ଷକ ଭାବେ ନିୟୋଜିତ ହୋଇଥିଲେ । ୧୦ମ ଶ୍ରେଣୀ ଉତୀର୍ଣ୍ଣ ହେବା ନିମନ୍ତେ ସର୍ବନିମ୍ନ ହାରାହାରି ୩୩ ପ୍ରତିଶତ ନମ୍ବର ରଖିବା ଆବଶ୍ୟକ ଥିଲା ।
ଯେଉଁମାନେ ଏହି ନମ୍ବର ଆଣିବାରେ ବିଫଳ ହୋଇଛନ୍ତି ସେମାନଙ୍କୁ କମ୍ପାଟମେଣ୍ଟ ପରୀକ୍ଷା ଦେବାକୁ ପୁଣି ଥରେ ସୁଯୋଗ ଦିଆଯିବ ।
ଚଳିତବର୍ଷ ସିବିଏସଇ ଅନୁଦିତ ସ୍କୁଲଗୁଡ଼ିକରେ ୯୯.୧୦% ପ୍ରତିଶତ ରହିଛି । ୨୦୨୫ରେ ଏହା ୯୮.୫୭% ରହିଥିଲା । ସ୍ୱାଧୀନ ସିବିଏସଇ ସ୍କୁଲଗୁଡ଼ିକରେ ପାସହାର ୯୩.୭୭% ରହିଥିବାବେଳେ ସରକାରୀ ସ୍କୁଲଗୁଡ଼ିକରେ ପାସହାର ୯୧.୪୩% ରହିଛି ।
ସରକାରୀ ସହାୟତା (ଏଡଡ) ସ୍କୁଲ ଗୁଡ଼ିକରେ ଏହା ୯୧.୦୧% ରହିଛି । ସର୍ବାଧିକ ପାସ ହାର ଥିବା ଜିଲାଗୁଡ଼ିକରେ ତ୍ରିଭେନ୍ଦ୍ରମ (କେରଳ) ୯୯.୭୯%, ବିଜୟୱାଡା (ଆନ୍ଧ୍ରପ୍ରଦେଶ) ୯୯.୭୯%, ଚେନ୍ନାଇ (ତାମିଲନାଡ଼ୁ) ୯୯.୫୮%, ବେଙ୍ଗାଲୁରୁ (କର୍ଣ୍ଣାଟକ) ୯୮.୯୧% ରହିଛି ।