ଆତଙ୍କୀ ଲିଙ୍କ ନେଇ କ୍ରାଇମବ୍ରାଂଚର ତନାଘନା
ଇମ୍ରାନ ଘରେ ଏସଟିଏଫ ଟିମ
ଶେଖ ଇମ୍ରାନର ଆତଙ୍କୀ ଲିଙ୍କ ଘଟଣାରେ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ଘାଂଟୁଛି ତଦନ୍ତ ଏଜେନ୍ସି ଓ ପୁଲିସ । ଏହି ଘଟଣାରେ ଦିଲ୍ଲୀ ପୁଲିସ ଶେଖ ଇମ୍ରାନକୁ ଗିରଫ କରିସାରିଛି ଏବଂ ତାକୁ ଦିଲ୍ଲୀ ନେଇ ଅଧିକ ପଚରାଉଚରା ମଧ୍ୟ କରୁଛି ।
ଏବେ ଏହାର ଚେର କେତେ ପର୍ଯ୍ୟନ୍ତ ମାଡ଼ିଛି ଓ ରାଜ୍ୟର ବା ରାଜ୍ୟ ବାହାରର କିଏ କଏ ଶେଖ ଇମ୍ରାନ ସହିତ ଯୋଗାଯୋଗରେ ଥିଲେ ତା’ର ଖୋଳତାଡ଼ କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଓ ଏସଟିଏଫ୍ ।
ଏବେ କ୍ରାଇମବ୍ରାଂଚ ମଧ୍ୟ ଏହାର ତନାଘନା ଆରମ୍ଭ କରିସାରିଲାଣି ।
ଏହି ମର୍ମରେ ସୋମବାର ଇମ୍ରାନଙ୍କ ଘରେ କ୍ରାଇମବ୍ରାଂଚ ଏସ୍ଟିଏଫ୍ର ଅଧିକାରୀମାନେ ପହଂଚି ତାଙ୍କ ପିତା ଓ ପରିବାର ଲୋକଙ୍କୁ ବହୁ ସମୟ ଧରି ପଚରା ଉଚରା କରିଥିଲେ ।
ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଇମ୍ରାନଙ୍କ ଘରେ କ୍ରାଇମବ୍ରାଂଚ ଖୋଳତାଡ଼ କରିଛି ।
ଏହି କ୍ରମରେ ଇମ୍ରାନର ଘର ନିକଟରେ ଥିବା ଏକାଧିକ ଯୁବକଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିଛି ।
ଭୁବନେଶ୍ୱରର କ୍ୟାପିଟାଲ ଥାନା ଅଂଚଳରେ ରହୁଥିବା ଶେଖ ଇମ୍ରାନ ମାଟ୍ରିକ ଫେଲ ଥିବାବେଳେ ଡେଲିଭେରି ବୟର କାମ କରୁଥିଲା ।
ସେ ତା’ର ସୋସିଆଲ ଆକାଂଉଟରେ ପାକିସ୍ତାନ ଓ ଆତଙ୍କୀସଂଗଠନ ସହିତ ଯୋଗଯୋଗ ରଖୁଥିବା ନେଇ ଏନଆଇଏର ତଥ୍ୟ ହସ୍ତଗତ ପରେ ଦିଲ୍ଲୀ ପୁଲିସ ତାକୁ ଆସି ଘରୁ ଟେକି ନେଇଛି ।
ସୋସିଆଲ ମିଡିଆରେ ଜାତିଆଣ ମନ୍ତବ୍ୟ ସହିତ ଦେଶଦ୍ରୋହ ସମ୍ପର୍କିତ ପୋଷ୍ଟ କରି କ୍ରାଇମବ୍ରାଂଚର ସ୍ପେଶାଳ ସ୍କ୍ୱାଡ ନଜରକୁ ଆସିଥିଲା ଇମ୍ରାନ । ଏପରିକି ଦିଲ୍ଲୀ କାର ବିସ୍ଫୋରଣରେ ମଧ୍ୟ ଇମ୍ରାନର ହାତ ଥିବା ଏନଆଇଏ ଜାଣିପାରିଛି । ତେବେ ଇମ୍ରାନ ପାକିସ୍ତାନୀ ହନିଟ୍ରାପର ଶିକାର ହୋଇ ଏଭଳି କରିଥିବା ସନେ୍ଦହ କରାଯାଉଛି ।