ଦିଲ୍ଲୀ ଗଲେ ଅସନ୍ତୁଷ୍ଟ କଂଗ୍ରେସ ନେତା
କର୍ଣ୍ଣାଟକ ସରକାରରେ ଏବେ ପୁଣି ସଦ୍ୟ ଅସନ୍ତୋଷର ସଂକେତ ଦେଖିବାକୁ ମିଳିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର (ଡିକେଏସ) ରାମଲିଙ୍ଗା ରେଡ୍ଡୀଙ୍କ ବିଦ୍ରୋହର ସମାଧାନ ହୋଇଥିବା ନେଇ ଘୋଷଣା କରିବା ପରେ ପୁଣି ଥରେ ସରକାରରେ ସଦ୍ୟ ଅସନ୍ତୋଷ ମୁଣ୍ଡ ଟେକିଛି ।
ବିଭାଗ ବଂଟନକୁ ନେଇ ଅସନ୍ତୁଷ୍ଟ ଥିବା ଦୁଇଜଣ ମନ୍ତ୍ରୀ କଂଗ୍ରେସ ନେତୃବୃନ୍ଦଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀ ପହଂଚିଛନ୍ତି । ସେମାନଙ୍କ ମଧ୍ୟରେ ବେଙ୍ଗାଲୁରୁ ବିକାଶ ମନ୍ତ୍ରୀ କ୍ରୀଷ୍ଣା ବାୟରେ ଗୌଡ଼ା ଅଛନ୍ତି । ତାଙ୍କୁ ବିଭାଗ ଦିଆଯାଇଥିଲେ ମଧ୍ୟ ସେ ଏଯାବତ ଶପଥ ଗ୍ରହଣ କରିନାହାନ୍ତି ।
କଂଗ୍ରେସ ବିଧାୟକ ରିଜୱାନ ଆରଶଦ ମଧ୍ୟ ଆଜି ଦିଲ୍ଲୀରେ ପହଂଚିଛନ୍ତି । ରାଜ୍ୟ କ୍ୟାବିନେଟରେ ସେ ସ୍ଥାନ ପାଇବାକୁ ଚାହିଁଛନ୍ତି ଏବଂ ଏଥିପାଇଁ ଦାବି କରିଛନ୍ତି । ମିଳିଥିବା ସୂଚନା ଅନୁସାରେ କ୍ରୀଷ୍ଣା ବାୟରେ ଗୌଡ଼ା ଅଧିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଚାହାଁନ୍ତି । ସେ ଉଭୟ ବେଙ୍ଗାଲୁରୁ ଡେଭଲପମେଂଟ ଅଥରିଟି (ବିଡିଏ) ଏବଂ ବେଙ୍ଗାଲୁରୁ ମେଟ୍ରୋପଲିଟାନ ରିଜନ ଡେଭଲପମେଂଟ ଅଥରିଟି (ବିଏମଆରଡିଏ)କୁ ବେଙ୍ଗାଲୁରୁ ବିକାଶ ବିଭାଗ ଅଧୀନକୁ ଆଣିବା ପାଇଁ ଦଳୀୟ ନେତୃବୃନ୍ଦଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ।
ମନ୍ତ୍ରୀ ଏହା ବିଶ୍ୱାସ କରୁଛନ୍ତି ଯେ ଏହି ଦୁଇ ସଂସ୍ଥା ଉପରେ ନିୟନ୍ତ୍ରଣ ବିନା ବିଭାଗର କ୍ଷମତା ସୀମିତ ରହିବ । ଏହି ଦୁଇ ସଂସ୍ଥା ବେଙ୍ଗାଲୁରୁ ଏବଂ ଏହାର ଆଖପାଖ ଅଂଚଳରେ ଯୋଜନା ଏବଂ ବିକାଶରେ କେନ୍ଦ୍ରୀୟ ଦାୟିତ୍ୱ ନିର୍ବାହ କରୁଛି । ସେଥିପାଇଁ ସେ ଉକ୍ତ ଦୁଇଟି ସଂସ୍ଥାକୁ ବିକାଶ ବିଭାଗ ଅଧୀନକୁ ଆଣିବାକୁ ଚାହୁଁଛନ୍ତି । ତେଣୁ ତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚା ହେଉଛି ।
ଉଲ୍ଲେଖଯୋଗ୍ୟ ଗତ କିଛି ଦିନ ତଳେ ରାମଲିଙ୍ଗା ରେଡ୍ଡି ବିଭାଗ ବଂଟନକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ରେଡ୍ଡି ସର୍ବସାଧାରଣରେ କହିଥିଲେ ଯେ ସେ କେବଳ ବେଙ୍ଗାଲୁରୁ ବିକାଶ ବିଭାଗ ଚାହାନ୍ତି ଏବଂ ମନ୍ତ୍ରିମଣ୍ଡଳ ଗଠନ ହେବା ପୂର୍ବରୁ ମଧ୍ୟ ସରକାର ଏଥିପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହି ବିଭାଗ କ୍ରୀଷ୍ଣା ବାୟରେ ଗୌଡ଼ାଙ୍କୁ ମିଳିବା ପରେ ଶିବକୁମାରଙ୍କ ନୂଆ ସରକାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଆରମ୍ଭ ହୋଇଥିଲା ।
ଅବଶ୍ୟ ବିଳମ୍ବିତ ରାତିରେ ଶିବ କୁମାର ଓ ରେଡ୍ଡିଙ୍କ ମଧ୍ୟରେ ବୈଠକ ହେବା ପରେ ଏହି ସଂକଟର ସମାଧାନ ହୋଇଥିଲା ।