ଶୀଘ୍ର ବଢ଼ିବ ବିଜୁଳି ଦର!
ଦେଶରେ ପେଟ୍ରୋଲ, ଡିଜେଲ ଓ ସିଏନଜି ପରେ ଖୁବଶୀଘ୍ର ବିଜୁଳି ଦର ବଢ଼ିବାକୁ ଯାଉଛି । କେନ୍ଦ୍ରୀୟ ବିଦ୍ୟୁତ କର୍ତୃପକ୍ଷ (ସିଇଏ) ପକ୍ଷରୁ ଧାର୍ଯ୍ୟ ଥିବା ମାସିକ ବିଦ୍ୟୁତ ଶୁ୍ଳ୍କ ବଢ଼ାଇବାକୁ ପ୍ରସ୍ତାବ ଦିଆଯାଇଛି ।
ଏହା କାର୍ଯ୍ୟକାରୀ ହେଲେ ଅଳ୍ପ ବିଜୁଳି ବ୍ୟବହାର କରୁଥିବା ପରିବାରଗୁଡ଼ିକର ମଧ୍ୟ ବିଦ୍ୟୁତ ବିଲ ବଢ଼ିବ । ବିଦ୍ୟୁତ ବଂଟନ କମ୍ପାନୀ (ଡିସକମ) ସହୁଥିବା ବିପୁଳ କ୍ଷତି କମ କରିବା ଲକ୍ଷ୍ୟ ନେଇ ସିଇଏ ଏହି ପ୍ରସ୍ତାବ ଦେଇଛି । ଦେଶରେ ଛାତ ଉପରେ ସୌ ପ୍ରକଳ୍ପ (ରୁଫଟପ ସୋଲର)ର ଗ୍ରହଣୀୟତା ବଢ଼ୁଥିବାବେଳେ ଶିଳ୍ପ ସଂସ୍ଥାଗୁଡ଼ିକ ନିଜସ୍ୱ ପାୱାର ପ୍ଲାଂଟ ଜରିଆରେ ବିଜୁଳି ଆବଶ୍ୟକତା ପୂରଣ କରୁଛନ୍ତି ।
ଏଭଳି ପରିସ୍ଥିତିରେ ଡିସକମଗୁଡ଼ିକର କ୍ଷତି ବଢ଼ିଛି । ସେହି କ୍ଷତି ଭରଣା କରିବାକୁ ମାସିକ ବିଦ୍ୟୁତ ଶୁଳ୍କ ବୃଦ୍ଧି କରିବା ଯୋଜନା ରହିଛି ।
ଫଳରେ ଲୋକମାନେ ମାସକୁ ଯେତିକି ବିଜୁଳି ବ୍ୟବହାର କରନ୍ତୁ ନା କାହିଁକି, ସେମାନଙ୍କୁ ଅଧିକ ଶୁଳ୍କ ଗଣିବାକୁ ପଡ଼ିବ । ସିଇଏ ପକ୍ଷରୁ କୁହାଯାଇଛି ଯେ ଡିସକମଗୁଡ଼ିକ ସେମାନଙ୍କ ବ୍ୟାୟକୁ ବିଦ୍ୟୁତର ୟୁନିଟ ପିଛା ଦର ଜରିଆରେ ଭରଣା କରୁଛନ୍ତି ।
ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ମାସିକ ଦେୟର କୌଣସି ବ୍ୟବସ୍ଥା ନାହିଁ । ଫଳରେ ବିଦ୍ୟୁତ ଉପଯୋଗ ହ୍ରାସ ପାଇଲେ ସେମାଙ୍କ ରାଜସ୍ୱ କମିଯାଉଛି । ରଙ୍କକ୍ସରଳବ ନେଇ ସେମାନେ ନିର୍ଦ୍ଦିଷ୍ଟ ଆକଳନ କରିପାରୁନାହାନ୍ତି । ଡିସକମଗୁଡ଼ିକର ମୋଟ ବ୍ୟୟର ୩୮-୫୬ ପ୍ରତିଶତ ରାଶି ସଂଚରଣ ଭିତିଭୂମି, କର୍ମଚାରୀ ବେତନ, ନେଟୱାର୍କ ରକ୍ଷଣାବେକ୍ଷଣ ଓ ବିଦ୍ୟୁତ ଉତ୍ପାଦନକାରୀମାନଙ୍କୁ ଦେୟ ପ୍ରଦାନ କରିବାରେ ଖର୍ଚ ହେଉଛି ।
ଏହା ସତ୍ୱେ ଧାର୍ଯ୍ୟ ମାସିକ ଶୁଳ୍କରୁ ସେମାନେ ମାତ୍ର ୯-୨୦ ପ୍ରତିଶତ ରାଜସ୍ୱ ପାଉଛନ୍ତି । ଧୀନକ ବର୍ଗର ଲୋକମାନେ ନିଜ ଘରେ ସୌରଶକ୍ତି ବ୍ୟବସ୍ଥା କରିଛନ୍ତି । ଶିଳ୍ପଗୁଡ଼ିକ ମଧ୍ୟ ନିଜ ପାୱାର ପ୍ଲାଂଟରୁ ବିଜୁଳି ନେଉଥିବାରୁ ବାହାର ବିଜୁଳି କିଣୁନାହାନ୍ତି । ଫଳରେ ଡିସକମଗୁଡ଼ିକର ଆୟ ପ୍ରଭାବିତ ହୋଇଛି ।
ଏହି ସବୁ ବିଷୟକୁ ଦୃଷ୍ଟିରେ ରଖି ୨୦୩୦ ସୁଦ୍ଧା ପର୍ଯ୍ୟାୟକ୍ରମେ ଫିକ୍ସ ଶୁଳ୍କକୁ ଘରୋଇ ଓ କୃଷି ଗ୍ରାହକମାନଙ୍କ ପାଇଁ ୨୫ ପ୍ରତିଶତ, ଶିଳ୍ପ, ବାଣିଜ୍ୟିକ ଏବଂ ସଂସ୍ଥାଗତ ଗ୍ରାହକମାନଙ୍କ ପାଇଁ ୧୦୦ ପ୍ରତିଶତ ବଢ଼ାଇବାକୁ ସିଇଏ ପ୍ରସ୍ତାବ ଦେଇଛି ।
ସେହିପରି ରୁଫଟଫ ସୋଲାର ଗ୍ରାହକ ଓ ନେଟ-ମିଟରିଂ ଗ୍ରାହକମାନଙ୍କ ପାଇଁ ପୃଥକ ଶୁଳ୍କ ଢାଂଚା ଆଣିବାକୁ ମଧ୍ୟ ସିଇଏ ପ୍ରସ୍ତାବ ଦେଇଛି ।