ନୀତିନ ନବୀନଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ
ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ରବିବାରଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ।
ରବିବାର ରାତ୍ରି ପ୍ରାୟ ସାଢ଼େ ୧୦ଟାରେ ଶ୍ରୀ ନବୀନ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ଓନିଶା ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା, ସାଂସଦ ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ଦିଲୀପ ରାୟଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବହୁ ବିଧାୟକ ତାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ ।
ରାଜ୍ୟ ଅତିଥି ଭବନରେ ସେ ରାତ୍ରିଯାପନ କରିଥିଲେ । ଶ୍ରୀ ନବୀନ ସୋମବାର ସକାଳେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ କୋର କମିଟି ବୈଠକରେ ଉପସ୍ଥିତ ହେବା ଜଣାପଡ଼ିଛି ।
ପରେ ଜଟଣୀସ୍ଥିତ ଏସିଆନ ଇନଷ୍ଟିଚ୍ୟୁଟ ଅଫ୍ ଫିଜିକାଲ ହେଲଥ (ଏଆଇପିଏଚ) ବିଶ୍ୱବିଦ୍ୟାଳୟ ପରିସରରେ ଭୁବନେଶ୍ୱର ସାଂଗଠନିକ ଜିଲା ତରଫରୁ ଅନୁଷ୍ଠିତ ହେବାକୁ ଥିବା ଜିଲାସ୍ତରୀୟ ପଣଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଭିଯାନ – ୨୦୨୬ ଶିବିରକୁ ଉଦଘାଟନ କରିବା ସହ ଉଦବୋଧନ ଦେବେ ।
ମଧ୍ୟାହ୍ନରେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିବେ । ରାଷ୍ଟ୍ରୀୟ ସଭାପତି ଅପରାହ୍ନରେ ଭୁବନେଶ୍ୱର ଫେରି ରାଜ୍ୟ କାର୍ଯ୍ୟାଳୟରେ ଅନୁଷଠିତ ହେବାକୁ ଥିବା ରାଜ୍ୟ ପଦାଧିକାରୀ, ମୋର୍ଚା ସଭାପତି ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ସହ ଆଲୋଚନା କରିବେ ।
ଏହାପରେ ରାତିରେପୁଣି ଦିଲ୍ଲୀ ଫେରିଯିବେ ବୋଲି ଜଣାପଡ଼ିଛି ।