ଭାରତରେ ପୁଣି ବଢ଼ିଲା ତେଲ ଦର
ମଧ୍ୟପ୍ରାଚ୍ୟରେ ହର୍ମୁଜ ଷ୍ଟ୍ରେଟକୁ ନେଇ ଇରାନ ଏବଂ ଆମେରିକା ମଧ୍ୟରେ ଲାଗିରହିଥିବା ଉତେଜନା ଯୋଗୁଁ ସାରା ବିଶ୍ୱରେ ତୈଳ ସଙ୍କଟ ଦେଖାଦେଇଛି ।
ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି । ଫଳରେ ଗତ କିଛି ଦିନ ତଳେ ଭାରତରେ ପେଟ୍ରୋଲ ଲିଟର ପିଛା ୩ ଟଙ୍କା ଓ ଡିଜେଲ ଲିଟର ପିଛା ୩ଟଙ୍କା ୧୫ ପଇସା ବଢ଼ିଥିଲା ।
ତା’ପରେ ମଧ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୯୫ ପଇସା ବଢ଼ିଥିଲା ।
ଆଜି ପୁଣି ତୃତୀୟ ଥର ପାଇଁ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଛି । ନୂତନ ବର୍ଦ୍ଧିତ ମୂଲ୍ୟ ଅନୁଯାୟୀ ପେଟ୍ରୋଲ ଲିଟର ପିଛା ୮୭ ପଇସା ଏବଂ ଡିଜେଲ ଲିଟର ପିଛା ୯୧ ପଇସା ବଢ଼ିଛି ।
ଫଳରେ ରାଜଧାନୀ ଦିଲ୍ଲୀରେ ଏବେ ୧ ଲିଟର ପେଟ୍ରୋଲର ମୂଲ୍ୟ ୯୯.୫୧ ଟଙ୍କା ଥିବାବେଳେ କୋଲକତାରେ ୧୧୦.୬୪ ଟଙ୍କା ଏବଂ ଡିଜେଲ ୯୭ ଟଙ୍କା ଲିଟର ପିଛା ଦର ରହିଛି ।
ସେହିଭଳି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୮.୪୯ ଟଙ୍କା ଓ ଡିଜେଲ ୯୫ ଟଙ୍କା; ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୫.୩୧ ଟଙ୍କା ଓ ଡିଜେଲ ୯୬.୯୮ ଟଙ୍କା ରହିଛି ।
ତେବେ ଗତ ୧୦ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲର ଦର ଏଭଳି ଉପରମୁହାଁ ହେବାକୁ ନେଇ ଗାଡ଼ି ଚାଳକମାନେ ମୁଣ୍ଡରେ ହାତ ଦେଇଛନ୍ତି ।