ଗଞ୍ଜାମ ଜିଲାକୁ ଜାତୀୟ ପୁରସ୍କାର
ଗଞ୍ଜାମ ଜିଲାକୁ ତିନିଟି ଜାତୀୟ ପୁରସ୍କାର ପ୍ରାପ୍ତ ହୋଇଛି । ଏହି ଜିଲାକୁ ଦିଲ୍ଲୀରେ ଆଜି ପୁରସ୍କୃତ କରାଯାଇଛି ।
ଦୀନଦୟାଲ ଉପାଧ୍ୟାୟ ପଂଚାୟତ ସତତ ବିକାଶ ପୁରସ୍କାର ଯୋଜନାରେ ଦୁଇଟି ପଂଚାୟତ କୃତିତ୍ୱଲାଭ କରିଛି । ସେହିପରି ନାନାଜୀ ଦେଶମୁଖ ସର୍ବୋତମ ପଂଚାୟତ ସତତ ବିକାଶ ପୁରସ୍କାରରେ ଗଞ୍ଜାମ ଜିଲା ଗୌରବାନ୍ୱିତ ହୋଇଛି । ସମଗ୍ର ରାଜ୍ୟରେ ୫ଟି ପଂଚାୟତ ଏଥିରେ ପୁରସ୍କୃତ ହେବେ । ସେଥିରୁ ୩ଟି ଗଞ୍ଜାମ ଜିଲାରୁ ରହିଛି ।
ଦୀନଦୟାଲ ଉପାଧ୍ୟାୟ ପଂଚାୟତ ସତତ ବିକାଶ ପୁରସ୍କାର ଯୋଜନାରେ ଛତ୍ରପୁର ବ୍ଲକର ପୋଟଲାମପୁରକୁ ଦେଶର ତୃତୀୟ ସୁସ୍ଥ ପଂଚାୟତ ଭାବେ ଘୋଷଣା କରାଯାଇଛି । ଏହି ପୁରସ୍କାର ବର୍ଗରେ ପୋଲସରା ବ୍ଲକର ମନ୍ଦାର ପଂଚାୟତକୁ ସାମାଜିକ ସୁରକ୍ଷିତ ପଂଚାୟତ ଭାବେ ସ୍ୱୀକୃତି ମିଳିଛି । ସେ ଦ୍ୱିତୀୟ ସ୍ଥାନ ରହିଛି ।
ସେହିପରି ନାନାଜୀ ଦେଶମୁଖ ସର୍ବୋତମ ପଂଚାୟତ ସତତ ବିକାଶ ପୁରସ୍କାରରେ ଗଞ୍ଜାମ ଜିଲାକୁ ଜିଲା ପଂଚାୟତ ଭାବେ ପୁରସ୍କୃତ କରାଯିବ । ସେ ଦେଶରେ ଦ୍ୱିତୀୟ ସ୍ଥାନ ଅଂଳଙ୍କୃତ କରିଛି । ଗଞ୍ଜାମ ଜିଲାପାଳ ଭି. କିର୍ତୀ ଭାସନ, ଜିଲା ପରିଷଦ ନିର୍ବାହୀ ଅଧିକାରୀ ସମୀର ଜେନା, ଜିଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଏପିଡି ବିଜୟ ବେହେରାଙ୍କ ସମେତ ପୋଲସରା ଓ ଛତ୍ରପୁର ବ୍ଲକ ବିଡିଓ, ପୋଟଲାମପୁର ସରପଂଚ ଓ ମନ୍ଦରା ସରପଂଚ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ ।
ଜଣାପଡ଼ିଛି ଯେ ଗଞ୍ଜାମ ଜିଲାକୁ ମିଳିବ ୩କୋଟି, ମନ୍ଦରା ପଂଚାୟତକୁ ମିଳିବ ୩୭.୫ଲକ୍ଷ ଓ ପୋଟଲାମପୁରକୁ ମିଳିବ ୨୫ଲକ୍ଷ ଟଙ୍କା ।
ଏହି ପୁରସ୍କୃତ ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହା ଜିଲାପାଇଁ ଗୌରବର ବିଷୟ ବୋଲି ଗଞ୍ଜାମ ଜିଲାପାଳ କହିଛନ୍ତି । ସ୍ଥାନୀୟ ଅଂଚଳରେ ବିକାଶ ଲକ୍ଷ୍ୟକୁ ନେଇ ଧାର୍ଯ୍ୟ ଥିବା ୯ଟି ମାନଦଣ୍ଡ ରହିଛି, ଏହି ପୋଷଣୀୟ ବିକାଶ ଧାରା କାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା କରିବାରେ ସଫଳ ହୋଇପାରିଛନ୍ତି । ଯାହା ଫଳରେ ଗଞ୍ଜାମ ଜିଲା ସର୍ବଭାରତୀୟ ସ୍ତରରେ ସୁନାମ ବଜାୟ ରଖିପାରିଛି ବୋଲି ଗଞ୍ଜାମ ଜିଲାପାଳ କହିଛନ୍ତି ।