ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା : ଅଭିଷେକଙ୍କ କାଳୀଘାଟ ବାସଭବନରେ ‘ଇଡି’
ସିଆଇଡି ପରେ ଏଥର ଅଭିଷେକ ବାନାର୍ଜୀଙ୍କ କାଳୀଘାଟସ୍ଥିତ ବାସଭବନରେ ଇଡି ଚଢ଼ଉ କରିଛି ।
ଜଣାପଡ଼ିଛି ଯେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା ସଂକ୍ରାନ୍ତରେ ଇଡି ଅଧିକାରୀମାନେ ଚଢ଼ଉ କରିଛନ୍ତି । ବୁଧବାର ଅପରାହ୍ନରେ କାଳୀଘାଟ ରୋଡ଼ସ୍ଥିତ ଅଭିଷେକଙ୍କ ବାସଭବନରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଏକ ପ୍ରତିନିଧି ଦଳ ପହଂଚିଥିଲେ ।
ସୂଚନାଯୋଗ୍ୟ ଯେ ଶିକ୍ଷକ ଦୁର୍ନୀତି ମାମଲା ଅଭିଯୋଗରେ ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚଟ୍ଟୋପାଧ୍ୟାୟଙ୍କ ସହ ବହୁ ନେତା, ମନ୍ତ୍ରୀ ଜେଲ ମୁହାଁ ହୋଇଛନ୍ତି । ଅନେକେ ଗିରଫ ହୋଇ ପରବର୍ତୀ ସମୟରେ ଜାମିନରେ ମୁକ୍ତ ହୋଇଛନ୍ତି । ତେଣୁ ସେହି ସୂତ୍ରକୁ ଗୁରୁତ୍ୱ ଦେଇ ସଂପ୍ରତି ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଇଡି ଅଧିକାରୀମାନେ ନଜର ପକାଇଛନ୍ତି ।
ଜଣାପଡ଼ିଛି ଯେ ତାଙ୍କୁ ନୋଟିସ ଦେବା ନିମନ୍ତେ ବୁଧବାର କାଳୀଘାଟସ୍ଥିତ ଅଭିଷେକଙ୍କ ବାସଭବନରେ ଇଡି ଦଳ ଆସିଥିଲେ । ଆଗାମୀ ଜୁନ୍ ୧୫ ତାରିଖରେ ଅଭିଷେକଙ୍କୁ ତଲବ ପାଇଁ ନୋଟିସ ଦିଆଯାଇଛି ।